ଚୀନ୍‌ ଓ ଭୁଟାନଠାରୁ ଭାରତରେ ହେଉଛି ଅଧିକ ଭ୍ରଷ୍ଟାଚାର, ଜାଣନ୍ତୁ କେଉଁ ଦେଶ ଅଛି କେଉଁ ସ୍ଥାନରେ

ନୂଆଦିଲ୍ଲୀ: ଚୀନ୍‌ ଓ ଭୁଟାନଠାରୁ ଭାରତରେ ଅଧିକ ଭ୍ରଷ୍ଟାଚାର ହେଉଛି। ଭ୍ରଷ୍ଟ ଦେଶ ତାଲିକାରେ ଭାରତ ଏମାନଙ୍କ ତଳକୁ ରହିଛି। ଏପରି କିଛି ରିପୋର୍ଟ ଦେଇଛି ଭ୍ରଷ୍ଟାଚାର ଉପରେ ନଜର ରଖୁଥିବା ଅନ୍ତରାଷ୍ଟ୍ରୀୟ ବେସରକାରୀ ସଂଗଠନ ଟ୍ରାନ୍ସପାରେନ୍ସି ଇଣ୍ଟରନ୍ୟାସନାଲ। ଏହି ତାଲିକାରେ ଭାରତ ତା’ର ଅନ୍ୟ ଦୁଇ ପଡ଼ୋଶୀ ପାକିସ୍ତାନ ଓ ବଙ୍ଗଳାଦେଶଠାରୁ ଭଲ ସ୍ଥିତିରେ ରହିଛି।

ସଂଗଠନ ଭ୍ରଷ୍ଟାଚାର ତାଲିକାରେ ୨୦୧୭ରେ ଭାରତକୁ ୪୦ ଅଙ୍କ ସହ ୮୧ତମ ସ୍ଥାନରେ ରଖିଛି। ଏହି ତାଲିକାରେ ପାକିସ୍ତାନ ୧୧୭, ବାଂଲାଦେଶ ୧୪୩, ମିଆଁମାର ୧୩୦ ଓ ଶ୍ରୀଲଙ୍କା ୯୧ ତମ ସ୍ଥାନରେ ରହିଛନ୍ତି। ଭାରତର ପଡ଼ୋଶୀ ହିସାବରେ ଭୁଟାନ ଭଲ ସ୍ଥିତିରେ ରହିଛି। ତାଲିକାରେ ଏହି ଦେଶ ୬୭ ଅଙ୍କ ସହ ୨୬ତମ ସ୍ଥାନରେ ରହିଛି। ଚୀନ୍‌ ୪୧ ଅଙ୍କ ସହ ତାଲିକାରେ ୭୭ ତମ ସ୍ଥାନରେ ରହିଛି। ଏହି ସୂଚକାଙ୍କ ଜିରୋରୁ ୧୦୦ ଅଙ୍କର ମାନକରେ ସାର୍ବଜନୀନ ଜୀବନରେ ଭ୍ରଷ୍ଟାଚାରକୁ ନେଇ ବିଶେଷଜ୍ଞ ଓ ବ୍ୟବସାୟୀଙ୍କ ରାୟକୁ ଆଧାର କରି ପ୍ରସ୍ତୁତ କରାଯାଇଛି।

ଗତବର୍ଷ ଭାରତ ଏହି ତାଲିକାରେ ୭୯ତମ ସ୍ଥାନରେ ରହିଥିଲା। ତାଲିକା ପ୍ରସ୍ତୁତ କରିବାକୁ ଦେଶକୁ ବିଭିନ୍ନ ମାପଦଣ୍ଡରେ ଜିରୋରୁ ୧୦୦ ଅଙ୍କ ଦିଆଯାଇଥାଏ। ସବୁଠାରୁ କମ ଅଙ୍କ ସବୁଠାରୁ ଅଧିକ ଭ୍ରଷ୍ଟାଚାରକୁ ବୁଝାଇଥାଏ। ତାଲିକା ଅନୁସାରେ ନ୍ୟୁଜିଲ୍ୟାଣ୍ଡ ସବୁଠାରୁ କମ ଭ୍ରଷ୍ଟ ଦେଶ। ନ୍ୟୁଜଲ୍ୟାଣ୍ଡ ୮୯ ଅଙ୍କ ସହ ତାଲିକାର ଟପ୍‌ରେ ରହିଛି। ସେହିପରି ୮୮ ଅଙ୍କ ସହ ଡେନମାର୍କ ଦ୍ୱିତୀୟ ଏବଂ ୮୫ ଅଙ୍କ ସହ ଫିନ୍‌ଲ୍ୟାଣ୍ଡ ତୃତୀୟ ସ୍ଥାନରେ ରହିଛନ୍ତି। ସବୁଠାରୁ ଅଧିକ ଭ୍ରଷ୍ଟ ରାଷ୍ଟ୍ର ଭାବେ ୯ ଅଙ୍କ ସହ ସୋମାଲିଆ ଶେଷରେ ୧୮୦ ତମ ସ୍ଥାନରେ ରହିଛି।