ନାଁ ଶୁଣିଲେ ଥରିଉଠେ ଭାରତ, ଚେହେରା ଦେଖିଲେ କମ୍ପି ଉଠେ ବିଶ୍ୱ: କେଉଁଠି ଅଛନ୍ତି ଆଠ ମୋଷ୍ଟୱାଣ୍ଟେଡ୍ ଆତଙ୍କବାଦୀ ?

ଭାରତର ପରମ ଶତ୍ରୁ ତଥା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଦାଉଦ୍ ଇବ୍ରାହିମ୍‌ ଏବେ ପାକିସ୍ତାନରେ।  ହୃଦଘାତରେ ଶିକାର ହୋଇ ଭେଣ୍ଟିଲେଟରରେ ଥିବା ଚର୍ଚ୍ଚା ଚାଲିଛି। ଏ କୁଖ୍ୟାତ ଆତଙ୍କବାଦୀର ନାଁ ଶୁଣିଲେ ଗୋଟିଏ ସମୟରେ ଡ଼ରୁଥିଲା ସାରା ମାୟାନଗରୀ ମୁମ୍ବାଇ। ଜାତିସଂଘ ଏହି କୁଖ୍ୟାତ ଆତଙ୍କବାଦୀକୁ କଳା ତାଲିକାଭୁକ୍ତ କରିଛି।  ତେବେ ନଜର ପକାଇବା ଭାରତର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିବା କିଛି କୁଖ୍ୟାତ ଆତଙ୍କବାଦୀଙ୍କ କଳା କାରାନାମା ଉପରେ।

ଅଜହର ମାସୁଦ: ଅଜହର ମାସୁଦ ଆତଙ୍କୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ମୁଖ୍ୟ। ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ କରୁଥିବା ନେଇ କାଶ୍ମୀରରୁ ଗିରଫ କରିଥିଲା ଭାରତୀୟ ପୋଲିସ୍। ୧୯୯୫ରେ ଉଲ୍ ଫରାନ ନାମକ ଏକ ଆତଙ୍କୀ ସଙ୍ଗଠନ କଶ୍ମୀରରୁ କିଛି ବିଦେଶୀ ପର୍ଯ୍ୟଟକଙ୍କୁ ଅପହରଣ କରି ମାସୁଦକୁ ଛାଡ଼ିବାକୁ ସର୍ତ୍ତ ରଖିଥିଲା। ଜଣେ ପର୍ଯ୍ୟଟକ ଖସି ଆସିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ସମସ୍ତ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ ଏହି ଆତଙ୍କବାଦୀମାନେ। ତେବେ ୧୯୯୯ ମସିହାରେ ୮୧୪ ଜଣଙ୍କୁ ନେଇ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ଅପହରଣ କରିବା ପରେ ମାସୁଦକୁ ଛାଡ଼ିଥିଲା ଭାରତ। ପଠାନକୋଟରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ପୋଲିସ୍ ନିଜ ସୁରକ୍ଷା ମଧ୍ୟରେ ରଖିଛି ମାସୁଦକୁ।

ଜାକିର ରହମାନ ଲଖ୍‌ଭି: କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଇବାର ମୁଖ୍ୟ ସଦସ୍ୟ ରୂପେ ପରିଚିତ ଲଖଭି। ଭାରତ ବିରୋଧରେ ସର୍ବଦା ବିଷ ଓଗାଳେ ଏହି କୁଖ୍ୟାତ ଆତଙ୍କବାଦୀ। ଆର୍ନ୍ତଜାତୀୟ ସମୁଦାୟ ଚାପରେ ପାକିସ୍ତାନ ପୋଲିସ ମୁଜଫରାବାଦରେ ଥିବା ଲସ୍କର-ଇ-ତୋଇ‍ବା କ୍ୟାମ୍ପରୁ ଗିରଫ କରିଥିଲେ ମଧ୍ୟ ଭାରତକୁ ହସ୍ତାନ୍ତର କରିବାକୁ ମନା କରିଥିଲା। ଭାରତରେ ହୋଇଥିବା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଖଳନାୟକ ଲଖଭି। ଧରାପଡ଼ିଥିବା ଏକମାତ୍ର ଜୀବିତ ଆତଙ୍କବାଦୀ କସାବର କହିବା ଅନୁଯାୟୀ ମୁମ୍ବାଇ ଆକ୍ରମଣ ପାଇଁ ସମସ୍ତ ଆତଙ୍କବାଦୀଙ୍କୁ ଟ୍ରେନିଂ ଦେଉଥିଲା ଲଖଭି।

ସୟଦ ସଲ୍ଲାଉଦ୍ଦୀନ: ହଜିବୁଲ ମୁଜାହିଦିନର ପ୍ରତିଷ୍ଠାତା ସୟଦ ସଲ୍ଲାଉଦ୍ଦିନ। ୧୯୯୦ ପୂର୍ବରୁ କଶ୍ମୀର କଂଗ୍ରେସର ଏକ ବଡ଼ ନେତା ରୂପେ ପରିଚିତ ଥିଲା ସଲ୍ଲାଉଦ୍ଦୀନ। ୟୁସୁଫ ସାହା ସଲ୍ଲାଉଦ୍ଦୀନର ପ୍ରକୃତ ନାମ।୧୯୮୭ କଶ୍ମୀର ବିଧାନସଭା ନିର୍ବାଚନରେ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିଥିଲେ ୟୁସୁଫ। ମାତ୍ର ନ୍ୟାସନାଲ କନ୍‌ଫ୍ରେନ୍ସର ପ୍ରାର୍ଥୀଙ୍କୁ ଜିତାଇବାକୁ ତାକୁ ଧୋକା ଦିଆଯାଇଥିଲା। ଯାହାଫଳରେ ସେ ନେତା ବଦଳରେ ପାଲଟିଯାଇଥିଲା ଆତଙ୍କବାଦୀ। ୟୁସୁଫରୁ ହୋଇଯାଇଥିଲେ। ସଲ୍ଲାଉଦ୍ଦୀନ। ଏବେ ସେ ପାକିସ୍ଥାନର ୟୁନାଇଟେଡ଼ ଜିହାଦ କାଉନସିଲ୍‌ର ପ୍ରମୁଖ ସଦସ୍ୟ। ପଠାନକୋଟ ଏୟାରବେସ୍‌ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ସଲ୍ଲାଉଦ୍ଦିନ।

ସାଜିଦ ମୀର୍‌: ପାକିସ୍ତାନରେ ଜନ୍ମିତ ୩୮ ବର୍ଷିୟ ସାଜିଦ ମୀର ଲସ୍କର-ଇ-ତୋଇବାର ଏକ ପ୍ରମୁଖ କମାଣ୍ଡର। ମୁମ୍ବାଇ ଆକ୍ରମଣ ପଛରେ ସାଜିଦ୍‌ର ପ୍ରମୁଖ ହାତ ରହିଛି। ମୁମ୍ବାଇ ଆକ୍ରମଣ ସମୟରେ ସେ କରାଚିରେ ରହି ସାଥୀ ଆତଙ୍କବାଦୀମାନଙ୍କୁ ଇଣ୍ଟରନେଟ୍ ଫୋନ ଜରିଆରେ ନିର୍ଦ୍ଦେଶ ଦେଉଥିଲା। ଆକ୍ରମଣ ପୂର୍ବରୁ କ୍ରିକେଟ ମ୍ୟାଚ ଦେଖିବା ବାହାନାରେ ବାରମ୍ବାର ଭାରତକୁ ଆସିଛି ମୀର୍। କମ୍ପ୍ୟୁଟର ଉପରେ ବିଶେଷ ଜ୍ଞାନ ଥିବା ମୀର ଦୁନିଆ ସାରା ରହିଥିବା ଲସ୍କର ଆତଙ୍କବାଦୀଙ୍କ ସହ ସାଟେଲାଇଟ ଫୋନ ମାଧ୍ୟମରେ ସର୍ମ୍ପକ କରିଥାଏ। ମୀର ନିଜର ଚେହେରା ଲୁଚାଇବା ପାଇଁ ପ୍ଲାଷ୍ଟିକ ସର୍ଜରୀ ମଧ୍ୟ କରିଛି। ପୂର୍ବରୁ ଦୁବାଇରୁ ଗିରଫ ହୋଇଥିଲେ ମଧ୍ୟ ଖସିଯିବାରେ ସକ୍ଷମ ହୋଇଛି ମୀର।

ଇଲିୟାସ କଶ୍ମୀର: ଅଲକାଏଦାର ସିନିୟର କମାଣ୍ଡର ଭାବେ ପରିଚିତ ଇଲିୟାସ। ଭାରତରେ ହୋଇଥିବା ବିଭିନ୍ନ ଆତଙ୍କବାଦୀ ଆକ୍ରମଣ ପଛରେ ଇଲିୟାସର ହାତ। ପୁଣେର ଜର୍ମାନୀ ବକେରୀ ଓ ୨୦୦୨ରେ କୋଲକାତାରେ ଆମେରିକା ସେଣ୍ଟର ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ କଶ୍ମୀରର ପ୍ରଚ୍ଛନ୍ନ ହାତ ଥିଲା। ୨୦୦୮ରେ ଅହମ୍ମଦାବାଦ, ଜୟପୁର, ଦିଲ୍ଲୀ, ୨୬/୧୧ ମୁମ୍ବାଇ ଆକ୍ରମଣରେ ମଧ୍ୟ ତା ସଙ୍ଗଠନ ସାମିଲ ହେବାର ପ୍ରମାଣ ରହିଛି। ଜାତିସଂଙ୍ଘ ଏହି କୁଖ୍ୟାତ ଆତଙ୍କବାଦୀକୁ କଳା ତାଲିକାଭୁକ୍ତ କରିଛି। ଓସାମା ବିନ୍ ଲାଡ଼େନର ମୃତ୍ୟୁ ପରେ ଅଲ କାଏଦାର ମୁଖ୍ୟ ଅଛି ଇଲିୟାସ।

 

ଛୋଟା ସକିଲ: ଭାରତର ପରମ ଶତ୍ର୍ରୁ ଦାଉଦର ଡାହାଣ ହାତ କହିଲେ ଛୋଟା ସକିଲକୁ ବୁଝାଏ। ୧୯୯୩ ମୁମ୍ବାଇ ସିରିୟଲ ବ୍ଲାଷ୍ଟର ମୁଖ୍ୟ ଅଭିଯୁକ୍ତ ଛୋଟା ସକିଲ। ଭାରତରେ ଦାଉଦର ଡ଼ି କମ୍ପାନୀ ଚଳାଇବାରେ ପ୍ରମୁଖ ଦାୟିତ୍ୱ ଛୋଟା ସକିଲ ଉପରେ। ବଲିଉଡ଼ ଅଭିନେତା ସଂଜୟ ଦତ୍ତଙ୍କ ସହ ସର୍ମ୍ପକ ନେଇ ବେଶ ଚର୍ଚ୍ଚିତ ହୋଇଥିଲେ ସକିଲ। ଲାଡେନ ମରିବା ପରେ ଛୋଟା ସକିଲ ଦୁବାଇ ପଳାଇଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଛି।

ହାଫିଜ ମହମ୍ମଦ ସୟିଦ୍ :ଅବାଞ୍ଛିତ ଆତଙ୍କୀ ସଙ୍ଗଠନ ଲସ୍କର-ଇ-ତୋଇବା ଓ ଜାମାତ-ଉଦ-ଦାବାର ପ୍ରତିଷ୍ଠାତା ହାଫିଜ ସୟିଦ ଭାରତର ମୋଷ୍ଟ ୱାଣ୍ଟେଡ଼ ଆତଙ୍କବାଦୀ ତାଲିକାର ୨ ନମ୍ବରରେ ରହିଛି। ୨୬/୧୧ ମୁମ୍ବାଇ ଆକ୍ରମଣ ତଥା ୨୦୦୧ ସଂସଦ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ। ଆମେରିକା ଏହି ଆତଙ୍କବାଦୀ ଉପରେ ଏକ କୋଟି ଡଲାର ପୁରସ୍କାର ରାଶି ଘୋଷଣା କରିଛି। ହାଫିଜ ଆତଙ୍କବାଦୀ ସଙ୍ଗଠନରେ ଯୋଗଦେବା ପୂର୍ବରୁ ଇଞ୍ଜିନିୟରିଂ କଲେଜର ଅଧ୍ୟାପକ ଥିଲା। ମୁମ୍ବାଇ ଆକ୍ରମଣ ନେଇ ଭାରତ ହାଫିଜ ସୟିଦ ଉପରେ ଇଣ୍ଟରପୋଲ ନୋଟିସ ଜାରି କରିଛି।

ଦାଉଦ ଇବ୍ରାହିମ: ଭାରତର ପରମଶତ୍ର୍ରୁ ତଥା ମୋଷ୍ଟୱାଣ୍ଟେଡ୍ ଆତଙ୍କବାଦୀ ଦାଉଦ ଇବ୍ରାହିମ। ବହୁ ଦିନରୁ ଖୋଜା ଚାଲିଛି ଦାଉଦକୁ। ଦେଶରେ ଘଟୁଥିବା ପ୍ରମୁଖ ଆତଙ୍କବାଦୀ ଆକ୍ରମଣ ପାଇଁ ଆର୍ଥିକ ସହାୟତା ଦେଇଥାଏ ଦାଉଦ। ଡ଼ି କମ୍ପାନୀ ଭାରତରେ ଜାଲ୍‌ ନୋଟ ତଥା ନିଶା ଦ୍ରବ୍ୟ ଚୋରାଚାଲାଣ କରିଥାଏ। ଭାରତର ଅପରାଧ ଜଗତରେ ଡି କମ୍ପାନୀ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛି। ଦାଉଦ ପାକିସ୍ତାନରେ ରହିଥିବାର ପ୍ରମାଣ ଭାରତ ଦେଉଥିଲେ ମଧ୍ୟ ପାକିସ୍ତାନ ଏହାକୁ ଖଣ୍ଡନ କରୁଛି। ଦାଉଦ ଇବ୍ରାହିମ ଓ ଟାଇଗର ମେନନ୍ ୧୯୯୩ ମୁମ୍ବାଇ ସିରିୟଲ ବିସ୍ପୋରଣର ମୁଖ୍ୟ ସୁତ୍ରଧର। ୧୯୭୫ରେ ହାଜି ମସ୍ତାନା ଗ୍ୟାଙ୍ଗ ସହ ଯୋଡ଼ି ହୋଇ ଅପରାଧ ଜଗତରେ ପ୍ରବେଶ କରିଥିଲା। ୧୯୮୪ରେ ସେ ୫ ଭାଈ ଓ ୩ ଭଉଣୀ ସହ ଦୁବାଇ ଚାଲି ଯାଇଥିଲା। ନିଜ ଚେହେରାକୁ ଦୁନିଆ ସାମ୍ନାରେ ଲୁଚାଇବାକୁ ଦାଉଦ ପ୍ଲାଷ୍ଟିକ ସର୍ଜରୀ ମଧ୍ୟ କରିଛି। ତେଣୁ ଦାଉଦ ଏବେ ଦେଖିବାକୁ କିପରି ତାହା ଜାଣିବା କଷ୍ଟକର ବ୍ୟାପାର।