ଅଲଗା ଜାତିର ପୁଅ ସହ ପ୍ରେମ ସମ୍ପର୍କ ରଖିଥିବାରୁ ଏମିତି ଦଣ୍ଡିତ ହେଲେ ଯୁବତୀ

ଭୋପାଳ: ଯୁଗ ଯାଇ କେଉଁଠି ପହଞ୍ଚିଲାଣି, କିନ୍ତୁ ଏବେବି ଆମ ସମାଜରେ ଜାତିକୁ ନେଇ ଭେଦଭାବ ରହିଛି। ଆଉ ଏଥିପାଇଁ ଅଲଗା ଜାତିର ପୁୁଅକୁ ପ୍ରେମ କରୁଥିବାରୁ ଜଣେ ଯୁବତୀଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିଛି। ଗାଁ ଲୋକଙ୍କ ନିର୍ଦ୍ଦେଶ ଅନୁଯାୟୀ ଯୁବତୀ ଜଣଙ୍କ ପ୍ରେମିକଙ୍କୁ କାନ୍ଧରେ ବୋହି ଚାଲିଛନ୍ତି। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ୩୪୦ କିଲୋମିଟର ଦୂରରେ ଥିବା ଝାବୁଆ ଜିଲ୍ଲାର ଦେବୀଗଡ଼ ଗାଁରେ ଏହି  ଘଟଣା ଦେଖିବାକୁ ମିଳିଛି।

ଟାଇଁ ଟାଇଁ ଖରାରେ ଖାଲି ପାଦରେ ଶୁଖିଲା ଜମିରେ ଯୁବତୀ ଜଣଙ୍କ ପ୍ରେମିକକୁ କାନ୍ଧରେ ବୋହି ନେଉଥିବାର ଏକ ଭିଡିଓକୁ ଖବର ସରବରାହ ସଂସ୍ଥା ଏଏନଆଇ ଟ୍ୱିଟ୍‌ କରିଛି। ୩୩ ସେକେଣ୍ଡର ଏହି ଭିଡି଼ରେ ଯୁବତୀ ଜଣଙ୍କ କାନ୍ଧରେ ପ୍ରେମିକଙ୍କୁ ବୋହି ଚାଲୁଥିବା ବେଳେ କିଏ ଖୁସିରେ ନାଚୁଛି, ତ ଆଉ କିଏ ମୋବାଇଲରେ ଏହି ଦୃଶ୍ୟକୁ ସୁଟିଂ କରି ଖୁସି ହେଉଥିବା ଦେଖିବାକୁ ମିଳିଛି।

ଏହି ଯୁବତୀଙ୍କୁ ପାଖାପାଖି ୨୦ ବର୍ଷ ହୋଇଥିବ। ପ୍ରେମିକର ଓଜନ ସମ୍ଭାଳି ନପାରି ସେ ଥରୁଥିବା ଓ ଠିକ୍‌ରେ ପାଦ ପକାଇ ପାରୁ ନଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି। ତଥାପି ଉପସ୍ଥିତ ନିର୍ଦ୍ଦୟ ଗ୍ରାମବାସୀ ଯୁବତୀଙ୍କୁ ବୋହି ନେବାକୁ ବାଧ୍ୟ କରୁଛନ୍ତି। ଯୁବତୀ ଜଣଙ୍କ ଭାରସାମ୍ୟ ନରଖି ପାରି ଅଟକି ଯାଉଥିବା ବେଳେ ଲୋକେ ତାଙ୍କୁ ଗାଳି କରୁଛନ୍ତି।

ଏହି ଭିଡିଓଟି ସେଶାଲ ମିଡିଆରେ ପ୍ରମୁଖ ଖବର ପାଲଟିବା ପରେ ଝାବୁଆ ଜିଲ୍ଲାର ପୁଲିସ୍‌ ଏସ୍ଆ‌ଇ ଭିନୀତ ଜୈନ ଏକ ମାମଲା ରୁଜୁ କରି କରିଛନ୍ତି। ଉପସ୍ଥିତ ସମସ୍ତ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଥିବାବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି।