ଆଜମ ଖାନ୍‌ଙ୍କ କ୍ଷମା ଦାବିରେ ଲୋକସଭା ହୁଲସ୍ତୁଲ

ନୂଆଦିଲ୍ଲୀ: ସମାଜବାଦୀ ସାଂସଦ ଆଜମ ଖାନ୍‌ ଗତକାଲି ବିହାରର ମହିଳା ସାଂସଦ ରମା ଦେବୀଙ୍କୁ ଅଭଦ୍ରୋଚିତ ଢଙ୍ଗରେ ଇଙ୍ଗିତ କରିଥିବାରୁ ଏହାକୁ କେନ୍ଦ୍ର କରି ଆଜି ଲୋକସଭାରେ ହଙ୍ଗାମା ଦେଖିବାକୁ ମିଳିଛି।
ଦଳମତ ନିର୍ବିଶେଷରେ ଲୋକସଭାର ସମସ୍ତ ମହିଳା ସାଂସଦ ଆଜମ ଖାନ୍‌ଙ୍କ ବୟାନକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଏଥିସହ ବିଜେପି ସମେତ ଏକାଧିକ ଦଳର ସାଂସଦମାନେ ଆଜମ ଖାନ୍‌ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି।

ସେ କ୍ଷମା ମାଗନ୍ତୁ ନଚେତ ତାଙ୍କୁ ସଂସଦରୁ ନିଲମ୍ବିତ କରାଯାଉ ବୋଲି ମଧ୍ୟ ସେମାନେ ଦାବି କରିଛନ୍ତି। ଏହାବାଦ୍‌ ଆଜମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏକ ସଂକଳ୍ପ ମଧ୍ୟ ଲୋକସଭାରେ ଆଗତ କରାଯାଇଛି। ଏହାପରେ ବାଚସ୍ପତି ଓମ ବିର୍ଲା ଏକ ସର୍ବଦଳୀୟ ବୈଠକ ଡାକିଥିଲେ।

ଏଥିରେ ଆଜମ ଖାନ୍‌ କ୍ଷମା ମାଗିବା ଉଚିତ ବୋଲି ନିଷ୍ପତ୍ତି ହୋଇଛି। ବାଚସ୍ପତି ମଧ୍ୟ ଆଜମ ଖାନ୍‌ଙ୍କୁ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ସେ କ୍ଷମା ନ ମାଗନ୍ତି, ତା’ହେଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଜଣାପଡ଼ିଛି।

ଆଜି ଲୋକସଭାର ଶୂନ୍ୟକାଳରେ କେନ୍ଦ୍ର ବୟନ ମନ୍ତ୍ରୀ ସ୍ମୃତି ଇରାନୀ ଏହି ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, ଗତକାଲି ଟ୍ରିପଲ ତଲାକ ବିଲ୍‌ ଉପରେ ଆଲୋଚନା ଚାଲୁଥିବା ବେଳେ ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନ୍‌ ଅଶ୍ଳୀଳ ଭାଷା ପ୍ରୟୋଗ କରିଛନ୍ତି। ଆଗକୁ କେବେ ହେଲେ ସଂସଦରେ ଏମିତି ହୋଇ ନଥିଲା। ଏଭଳି ବୟାନ କେବଳ ମହିଳା ନୁହେଁ ପୁରୁଷମାନଙ୍କୁ ମଧ୍ୟ ଅପମାନିତ କରିଛି। ଆମେ ଏଭଳି ଘଟଣାକୁ କେବଳ ବସି ଦେଖିଲେ ଚଳିବ ନାହିଁ। ଆମେ ଗୋଟିଏ ସ୍ୱରରେ ଏହା ଗ୍ରହଣୀୟ ନୁହେଁ ବୋଲି କହିବା ଦରକାର।”

ଇରାନୀଙ୍କୁ ସମର୍ଥନ କରି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ମଧ୍ୟ କହିଥିଲେ, “ଆଜମ ଖାନ୍‌ ନିଃସର୍ତ୍ତ କ୍ଷମା ମାଗନ୍ତୁ, ନଚେତ ତାଙ୍କୁ ଲୋକସଭାରୁ ନିଲମ୍ବିତ କରାଯାଉ।”

ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀ ମଧ୍ୟ ବାଚସ୍ପତି ଓମ ବିର୍ଲାଙ୍କୁ ଆଜମ ଖାନ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି। ସେହିପରି ଏନ୍‌ସିପିର ସୁପ୍ରିୟା ସୁଲେ, ଟିଏମସିର କଲ୍ୟାଣ ବାନାର୍ଜୀ ଓ ବିଜେଡିର ଭର୍ତ୍ତୃହରି ମହତାବ ମଧ୍ୟ ଆଜମ ଖାନ୍‌ଙ୍କ ବୟାନକୁ ନିନ୍ଦା କରିଛନ୍ତି।

ଗତକାଲି ଆଜାମ ଖାନ୍‌ ଟ୍ରିପଲ ତଲାକ ଉପରେ ମତ ରଖୁଥିଲେ। ଏହି ସମୟରେ ବାଚସ୍ପତିଙ୍କ ଚୌକିରେ ବସିଥିବା ରମା ଦେବୀଙ୍କୁ ଅଭଦ୍ରୋଚିତ ଢଙ୍ଗରେ ଇଙ୍ଗିତ କରିଥିଲେ। ସେ କହିଥିଲେ, “ମୁଁ ଆପଣଙ୍କ ଆଖିରେ ଆଖି ମିଶାଇ ମତ ରଖିବାକୁ ଚାହୁଁଛି।”