ମୁମ୍ୱାଇ: ଔଷଧ ଦୋକାନରେ ନିଆଁ ଲାଗି ୮ ମୃତ

ମୁମ୍ୱାଇ: ମୁମ୍ୱାଇର ଅନ୍ଧେରୀ ପଶ୍ଚିମର ଜୁହୁ ଅଞ୍ଚଳରେ  ଥିବା ଏକ ଔଷଧ ଦୋକାନରେ ବୁଧବାର ବିଳମ୍ୱିତ ରାତିରେ ନିଆଁ ଲାଗିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା, ଜଣେ ପୁରୁଷ ଓ ୫ ଜଣ ଶିଶୁ ରହିଛନ୍ତି। ଦୋକାନରେ ଥିବା ଔଷଧ ଓ କେମିକାଲ୍ ଯୋଗୁଁ ନିଆଁ ଖୁବ୍‌ ଶୀଘ୍ର ମାଡ଼ି ଯାଇଥିଲା,  ଯାହାଫଳରେ ଔଷଧ ଦୋକାନ ଉପରେ ଶୋଇଥିବା ଲୋକେ ଏହାର ଶିକାର ହୋଇଥିଲେ।

ଲୋକଙ୍କ ପାଟି ଶୁଣି ଆଖପାଖରେ ଥିବା ଲୋକେ ନିଦରୁ ଉଠି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ମଧ୍ୟରେ ସମସ୍ତେ ନିଆଁରେ ଜଳି ଯାଇଥିଲେ।

କେଉଁ କାରଣରୁ ନିଆଁ ଲାଗିଲା ଜଣାପଡ଼ି ନଥିବା ବେଳେ ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି।