ମୁହଁ ଖୋଲିଲେ ଆଉ ଜଣେ ବିଏସ୍‌ଏଫ୍‌ ଯବାନ

ଜୟପୁର: ବିଏସ୍‌ଏଫ ଯବାନ ତେଜ ବାହାଦୁରଙ୍କ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନ୍ୟ ଯବାନମାନେ ମଧ୍ୟ ନିଜ ସମସ୍ୟା ପ୍ରକାଶ କରିବାରେ ଲାଗିଛନ୍ତି। ଆଜି ଜାତୀୟ ସୁଟିଂ ପ୍ରତିଯୋଗିତାରେ ସାରା ଦେଶରୁ ଆସିଥିବା ଯବାନମାନଙ୍କୁ ବିଏସ୍‌ଏଫ୍‌ ଡିଜି କେକେ ଶର୍ମା ସମ୍ବୋଧିତ କରୁଥିବା ବେଳେ ଜଣେ ଯବାନ ଛିଡା ହୋଇ ନିଜ ସମସ୍ୟା ପ୍ରକାଶ କରିଛନ୍ତି। ତାହା ପୁଣି ଶର୍ମା ଯେତେବେଳେ କୌଣସି ଯବାନ ନିଜ ସମସ୍ୟା ସୋସିଆଲ ମିଡିଆରେ ଛାଡିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଉଥିଲେ।

ଯବାନ ଜଣଙ୍କ ଅଭିଯୋଗ କରିଥିଲେ ଯେ ତାଙ୍କ ୟୁନିଟ୍‌ ୩ ବର୍ଷ ହେଲେ ଜମ୍ମୁ କାଶ୍ମିରରେ ମୁତୟନ ହୋଇଛି। ସେବେଠାରୁ ସେମାନେ ନିଜ ପରିବାର ସହ ମିଶି ପାରିନାହାନ୍ତି। ସେମାନଙ୍କୁ ନିଜ ପରିବାର ସହ ରହିବା ପାଇଁ ବ୍ୟବସ୍ଥା କରିବାକୁ ଯବାନ ଜଣଙ୍କ ଦାବି କରିଥିଲେ।

ଯବାନଙ୍କ ଏପରି ଦାବି ପରେ ଡିଜିଙ୍କ ମୁହଁ ବନ୍ଦ ହୋଇଯାଇଥିଲା। ସେ କେବଳ କହିଥିଲେ ଆପଣଙ୍କ ଦାବି ପୂରଣ କରାଯିବ। ଏହାପରେ ସମାରୋହ ଶେଷ ହୋଇଯାଇଥିଲା। ଶର୍ମା ଜୈଶଲମେରର କିଶନଗଡ଼ ଫାୟରିଂ ରେଞ୍ଜରେ ଯବାନଙ୍କ ସୁଟିଂ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିବାକୁ ଆସିଥିବା ବେଳେ ଏହି ଘଟଣା ଘଟିଥିଲା।