୫ରେ ଜିଓ ଗିଗା ଫାଇବରର ଶୁଭାରମ୍ଭ, ମାଗଣାରେ ମିଳିବ ଏଲ୍ଇଡି ଟିଭି ଓ ୪କେ ସେଟଅପ୍ ବକ୍ସ

ଲ୍ୟାଣ୍ଡଲାଇନରେ ଅସୀମିତ ଫ୍ରି’ କଲ୍, ମାସକୁ ୭୦୦ ଟଙ୍କାରୁ ଆରମ୍ଭ ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍‌

ମୁମ୍ବାଇ: ସେପ୍ଟେମ୍ବର ୫ରୁ ‘ଜିଓ ଗିଗା ଫାଇବର୍’ ଆରମ୍ଭ ହେବ। ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି ଏହି ଘୋଷଣା କରିଛନ୍ତି। ଏହି ଯୋଜନା ଅନୁଯାୟୀ, ଲ୍ୟାଣ୍ଡଲାଇନରୁ ସାରାଜୀବନ ଫ୍ରି’ ଭଏସ୍ କଲ୍ ସେବା ମିଳିବ। ସେହିପରି ମାସିକ ୭୦୦ ଟଙ୍କାରୁ ଆରମ୍ଭ ହେବ ହାଇସ୍ପିଡ୍‌ ବ୍ରଡବ୍ୟାଣ୍ଡ ଏବଂ ବାର୍ଷିକ ପ୍ଲାନରେ ଫ୍ରି’ ଏଚଡି ସେଟ୍ ଉପଲବ୍ଧ କରାଯିବ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪୨ତମ ବାର୍ଷିକ ସାଧାରଣ ପରିଷଦ (ଏଜିଏମ୍) ବୈଠକରେ ଶ୍ରୀ ଅମ୍ବାନି କହିଛନ୍ତି ଯେ ଜିଓ ମାସିକ ୫୦୦ ଟଙ୍କାରେ ଲ୍ୟାଣ୍ଡଲାଇନରୁ ଆମେରିକ ଓ କନ୍ୟାଡାକୁ ଅସୀମିତ ଇଣ୍ଟରନ୍ୟାସନାଲ କଲ୍ ପ୍ୟାକଜେ ଉପଲବ୍ଧ କରାଇବ। ବର୍ତ୍ତମାନର ବଜାର ଦରରୁ ଏହା ଯଥେଷ୍ଟ କମ ରହିବ।

ଯେକୌଣସି ଭାରତୀୟ ଅପେରଟରଙ୍କ ମୋବାଇଲ୍ ଅଥବା ଫିକ୍ସଡ୍ ଲାଇନକୁ ଭଏସ୍ କଲ୍ ସମ୍ପୂର୍ଣ୍ଣ ମାଗଣା ହେବ। ବ୍ୟାବସାୟିକ ଭିତ୍ତିରେ ଜିଓ ଗିଗା ଫାଇବର୍ ସେବା ସେପ୍ଟେମ୍ବର ୫ରୁ ଆରମ୍ଭ ହେବ। ସର୍ବାଧିକ ବିକଶିତ ଅର୍ଥନୀତି ଥିବା ଆମେରିକାରେ ହାରାହାରି ଫିକ୍ସଡ୍ ଲାଇନ୍ ଡାଉନଲୋଡ ସ୍ପିଡ୍ ୯୦ ଏମବିପିଏସ୍‌ ରହିଛି। ଭାରତରେ ଏହା ସର୍ବନିମ୍ନ।

ଜିଓ ଗିଗା ଫାଇବର୍ ପ୍ଲାନ୍ ୧୦୦ ଏମବିପିଏସରୁ ଆରମ୍ଭ ହେଉଥିବା ବେଳେ ଏହାକୁ ୧ ଜିବିପିଏସ୍ ଅର୍ଥାତ୍ ୧୦୦୦ ଏମବିପିଏସ୍ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଯୋଜନା ରହିଛି। ଜିଓ ଗିଗା ଫାଇବର୍ ପ୍ରତ୍ୟେକଙ୍କ ବଜେଟକୁ ଛୁଇଁଲା ଭଳି ମାସକୁ ୭୦୦ ଟଙ୍କାରୁ ଆରମ୍ଭ କରି ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ରହିବ।

ଏହି ପ୍ଲାନ୍ ସହିତ ଅଗ୍ରଣୀ ପ୍ରିମିୟମ୍ ଓଭର୍ ଦି ଟପ୍ (ଓଟିଟି) ଆପସ୍ ଏକାଠି ମିଳିବ। ଥିଏଟରରେ ଯେଉଁ ଦିନ ସିନେମା ମୁକ୍ତିଲାଭ କରିବ ସେହି ସମାନ ଦିନରେ ହିଁ ଜିଓ ଗିଗା ଫାଇବର୍ ଉପଭୋକ୍ତାମାନେ ନଜ ଘରେ ବସି ଉକ୍ତ ସେନେମାଙ୍କୁ ଦେଖି ପାରିବେ। ଏହି ଧାରା ଭାରତରେ ପ୍ରଥମ ଥର ପାଇଁ ଆରମ୍ଭ ହେବ। ଏହି ସେବା ‘ଜିଓ ଫାଷ୍ଟ୍ ଡେ ଫାଷ୍ଟ ଶୋ’ ୨୦୨୦ରେ ଉପଲବ୍ଧ ହେବ।

ଗିଗା ଫାଇବର୍ ସେବା ଟିଭିରେ ଅଲଟ୍ରା ହାଇ ଡେଫିନିସନ୍, ଭଏସ୍ ଆକ୍ଟିଭେଟେଡ୍ ଆସିଷ୍ଟାନ୍ସ, ଭର୍ଚ୍ୟୁଆଲ୍ ରିଅଲିଟି ଗେମିଂ ଏବଂ ଡିଜିଟାଲ୍ ଜିଓ ଶପିଂ ସହିତ ସ୍ମାର୍ଟ ହୋମ୍ ସର୍ଭିସ୍ ଉପଲବ୍ଧ କରାଇବ। ବିଗତ କିଛି ମାସ ମଧ୍ୟରେ ଜିଓ ବିଭିନ୍ନ ସହରରେ ଜିଓ ଗିଗା ଫାଇବର୍ ଭିତ୍ତିଭୂମି ବିକଶିତ କରି ସାରିଛି।

ପରୀକ୍ଷାମୂଳକ ଭିତ୍ତିରେ ପ୍ରାୟ ପାଞ୍ଚ ଲକ୍ଷ ଘରେ ଏହା ଉପଲବ୍ଧ କରାଯାଇଛି। ଜିଓ ଗିଗା ଫାଇବର୍ ବ୍ୟବହାରକାରୀଙ୍କୁ ସ୍ୱତନ୍ତ୍ର ମୋବିଲିଟି ସେବା ମିଳିବ। ଜିଓ ପୋଷ୍ଟପେଡ୍ ପ୍ଲସ୍ ଘରେ ସିମ୍-ସେଟ୍ଅପ୍ ସେବା ପ୍ରଦାନ କରିବ। ଏହା ମଧ୍ୟ ଉଭୟ ଘରେ ଏବଂ ବାହ୍ୟ ବ୍ୟବହାର କ୍ଷେତ୍ରରେ ସବୁ ଡିଭାଇସ୍‌ରେ ଡାଟା ଏବଂ ଭଏସ୍ ସଂଯୋଗ କରିବ।

ଏଥିସହ ଅତି ଅଳ୍ପ ଦେୟରେ ଫ୍ୟାମିଲି ପ୍ଲାନ୍ ଏବଂ ଇଣ୍ଟରନ୍ୟାସନାଲ୍ ରୋମିଂ ସୁବିଧା ରହିବ। ଜିଓ ଗିଗା ଫାଇବର୍ ଏବଂ ଜିଓ ସେଟପ୍‌ ବକ୍ସ ଏଲ୍ଇଡି ଟିଭି ସହ ସଂଯୁକ୍ତ ହେଲେ ବାସ୍ତବ ଅଭିଜ୍ଞତା ଓ ଅନୁଭୂତି ମିଳିପାରିବ। ତେଣୁ ଆମ ବାର୍ଷିକ ଯୋଜନା ଅର୍ଥାତ୍ ଆମ ଭାଷାରେ ‘ଜିଓ ଫରଏଭର୍ ପ୍ଲାନ୍’ ପାଇଁ ଇଚ୍ଛୁକ ଜିଓ ଗିଗା ଫାଇବର୍ ଉପଭୋକ୍ତା ଏକ ଏଚଡି ଅଥବା ୪କେ ଏଲ୍ଇଡି ଟିଭି ଏବଂ ଗୋଟିଏ ୪କେ ସେଟଅପ୍ ବକ୍ସ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ ବୋଲି ଶ୍ରୀ ଅମ୍ବାନି କହିଛନ୍ତି।

୩ ବର୍ଷରୁ କମ୍ ସମୟ ମଧ୍ୟରେ ୩୪୦ ନିୟୁତ ମୋବାଇଲ୍ ବ୍ୟବହାରକାରୀଙ୍କୁ ଆପଣେଇ ପାରିଥିବା ଜିଓ ଏବେ ୪ଟି ନୂଆ ଗ୍ରୋଥ୍ ଇଞ୍ଜିନ୍ ଉପଲବ୍ଧ କରାଇବାକୁ ଯାଉଛି। ସାରା ଦେଶ ପାଇଁ ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ (ଆଇଓଟି), ଗୃହୋପଯୋଗୀ ଏବଂ ଉଦ୍ୟୋଗ ପାଇଁ ବ୍ରଡବ୍ୟାଣ୍ଡ ସେବା ତଥା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ର (ଏସ୍ଏମ୍ଇ) ପାଇଁ ବ୍ରଡବ୍ୟାଣ୍ଡ ସେବା ଏଥିରେ ଅନ୍ତର୍ଭୁକ୍ତ ରହିଛି।
କମ୍ପାନୀର ଡିଜିଟାଲ୍ ନେଟୱର୍କ ପାଇଁ ପ୍ରାୟ ୩.୫ ଲକ୍ଷ କୋଟି ଟଙ୍କା ବିନିଯୋଗ ହୋଇଛି। ଜିଓର ବଜାର ପ୍ରବେଶ ପୂର୍ବରୁ ଡାଟା କ୍ଷେତ୍ରରେ ଭାରତ ଅନ୍ଧକାର (ଡାଟା ଡାର୍କ)ରେ ଥିଲା ଏବଂ ଏହାର ଶୁଭାରମ୍ଭ ଭାରତକୁ ‘ଡାଟା-ଶାଇନିଂ ବ୍ରାଇଟ୍’ କରାଇଛି ବୋଲି ଅମ୍ବାନୀ କହିଛନ୍ତି। ୫୦ କୋଟି ଉପଭୋକ୍ତାଙ୍କ ପାଖରେ କମ୍ପାନୀ ପହଞ୍ଚିବ ବୋଲି ଶ୍ରୀ ଅମ୍ବାନୀ ଦୃଢ଼ୋକ୍ତି କରିଛନ୍ତି।

ଜିଓ ବର୍ତ୍ତମାନ ପୁଞ୍ଜି ବିନିଯୋଗ ପ୍ରକ୍ରିୟା ଶେଷ କରିଛି ଏବଂ ସାମର୍ଥ୍ୟ ବୃଦ୍ଧି ପାଇଁ ଆଉ ଖୁବ୍ କମ୍ ବିନିଯୋଗ କରାଯିବାର ଅଛି। ଏହା କମ୍ପାନୀକୁ କାର୍ଯ୍ୟ ସମ୍ପାଦନରେ ଦକ୍ଷତା ଦେବା ସହ ଆଗାମୀ ବର୍ଷମାନଙ୍କରେ ସର୍ବଉନ୍ନତ ଆୟ ଦେବ। ୨୦୨୦ ଜାନୁଆରୀ ୧ ତାରିଖରୁ ଜିଓର ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ (ଆଇଓଟି) ପ୍ଲାଟଫର୍ମ ବ୍ୟବସାୟିକ ଭିତ୍ତିରେ ଉପଲବ୍ଧ ହେବ। ‘ଆଇଓଟି’ ପ୍ଲାଟଫର୍ମରେ ଜିଓ ୧ ବିଲିୟନ୍ ଲୋକଙ୍କୁ ସାମିଲ କରିବାର ଲକ୍ଷ୍ୟ ରଖିଛି।