ପୁରୁଣାକାଳିଆ ଭଙ୍ଗା ଘରେ ରୁହନ୍ତି ‘ଲକ୍ଷପତି କଚୋଡ଼ିବାଲା’

ଆଲିଗଡ଼: ୨୨୫ ସ୍କୋୟାର ଫୁଟ୍‌ର ଏକ ପୁରୁଣା କାଳିଆ ଅଧାଭଙ୍ଗା ଘରେ ରୁହନ୍ତି ବର୍ତ୍ତମାନ ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚ୍ଚିତ ‘ଲକ୍ଷପତି କଚୋଡ଼ିବାଲା’ ମୁକେଶ କୁମାର ଏବଂ ତାଙ୍କ ପରିବାର। ଏକ ଅଣ ଓସାରିଆ ପଙ୍କ ଓ ଆବର୍ଜନା ଭରା ରାସ୍ତାରେ ଗଲେ ପଡ଼େ ତାଙ୍କ ଘର। ଘରର ବେଡରୁମ୍‌ରେ ଅଛି କେଉଁ ଅମଳର ଏକ ଏୟାର କୁଲର ଏବଂ ଅତିଥି ଅଭ୍ୟାଗତଙ୍କ ପାଇଁ କିଛି ପ୍ଲାଷ୍ଟିକ୍‌ ଚେୟାର। ବାହାରେ କାର୍‌ ବଦଳରେ ଏକ କଳାରଙ୍ଗର ସାଇକେଲ ଏବଂ କାନ୍ଥରେ ଆଉଜା ହୋଇ ରହିଛି ଏକ ଟିଭିଏସ୍‌ ମୋପେଡ୍‌। ଏସବୁ ଦେଖିଲେ କାହିଁକି କିଏ ଭାବିବ ଯେ, ଏହି ଘରର ମାଲିକଙ୍କ ବାର୍ଷିକ ରୋଜଗାର ୭୦ ଲକ୍ଷରୁ ଊର୍ଦ୍ଧ୍ୱ।

ଗତ ସପ୍ତାହରେ ଜିଏସ୍‌ଟି କର୍ତ୍ତୃପକ୍ଷ ଏହି ଘର ଉପରେ ଚଢ଼ଉ କରିଥିଲେ, ଯାହା ମୁକେଶଙ୍କ ବହୁ ଚର୍ଚ୍ଚିତ କଚୋଡ଼ି ଦୋକାନଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଅବସ୍ଥିତ। ଏହି ରାସ୍ତାର ଓସାର ଏମିତି ଯେ ୩ ଜଣ ଲୋକ ଏକାଠି ଯାଇପାରିବେନି। ଆଉ ୪ ଚକିଆ ପଶିଗଲେ ଯାହା ସ୍ଥିତି ହେବ, ତାହା ସହଜେ ଅନୁମେୟ। ତେବେ ମୁକେଶଙ୍କ କଚୋଡ଼ି ଦୋକାନ ଉପରେ ଚଢ଼ଉ ପରେ ଏହି ଘଟଣା ସୋଶାଲ ମିଡିଆରେ ଏକ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି।

ପ୍ରାୟ ୧୨ ବର୍ଷ ତଳେ ମୁକେଶଙ୍କ ବାପା ମଖନ୍‌ ଲାଲ (୭୫) ୪x୪ ଫୁଟ୍‌ର ଏହି ଦୋକାନକୁ ଭଡ଼ାରେ ନେଇଥିଲେ। ଯଦିଓ ଏହି ବ୍ୟବସାୟ ଏବେ ଖୁବ ଜମୁଛି, ଏହାପୂର୍ବରୁ ସେ ସେଠାରେ ଜେନେରାଲ ଷ୍ଟୋର ଏବଂ ସିଗାରେଟ୍‌ ଦୋକାନ ଜରିଆରେ ବେପାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ।

ମଖନ୍‌ ଲାଲ ଏହି ଘଟଣାକୁ ନେଇ କହିଛନ୍ତି, ତାଙ୍କ ବୋହୁଙ୍କ ସହ କିଛି ଦିନ ତଳେ କଳି କଜିଆ କରିଥିବା ଜଣେ ବ୍ୟକ୍ତି ଏହି ଷଡ଼ଯନ୍ତ୍ର ରଚିଛନ୍ତି। ସେ ଶକ୍ତିଶାଳୀ ଏବଂ ଶିକ୍ଷିତ। ମଖନ୍‌ ଲାଲ କହିଛନ୍ତି ଆମ ପରିବାରର ରୋଜଗାର ମାସିକ ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ନୁହେଁ। ତେଣୁ ଏହା ଜିଏସଟି ଅଧୀନରେ ଆସୁନାହିଁ। ତାଙ୍କର କଚୋଡ଼ି ବ୍ୟବସାୟ ୭ ଜଣ ଛୋଟ ଛୁଆଙ୍କ ସମେତ ୧୫ ଜଣଙ୍କ ପେଟ ପୋଷୁଛି ବୋଲି ସେ କହିଛନ୍ତି। ତେବେ ଦୋକାନ ଉପରେ ଆୟକର ବିଭାଗର ଚଢ଼ଉ ପରେ ବର୍ତ୍ତମାନ ସେ ଜିଏସ୍‌ଟି ପଞ୍ଜିକରଣ କରିଥିବା ଜଣାପଡ଼ିଛି।