ମୋଦି ସରକାରଙ୍କ ଆଡ଼କୁ ଢଳୁଛନ୍ତି ମୁଲାୟମ!

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିରେ ବାପା ମୁଲାୟମ ସିଂହ ଯାଦବ ଓ ପୁଅ ଅଖିଲେଶ ଯାଦବଙ୍କ ମଧ୍ୟରେ ଏବେ କିଛି ଠିକ୍‌ ଠାକ ଚାଲିନାହିଁ। ବାପା ମୁଲାୟମ କେନ୍ଦ୍ରରେ କ୍ଷମତା ଦଖଲ କରିଥିବା ମୋଦି ସରକାରଙ୍କୁ ଅନେକ ସମୟରେ ସମର୍ଥନ କରୁଥିବା ବେଳେ ଅଖିଲେଶ ଓ ଅନ୍ୟ ସମାଜବାଦୀ ପାର୍ଟିର ନେତାମାନେ ବିଜେପିକୁ ବିରୋଧ କରୁଛନ୍ତି।

ସଂସଦରେ ଗତକାଲି ଏମିତି ପରିସ୍ଥିତି ସୃଷ୍ଟି ହୋଇଥିଲା। ମୋଦି-୨ ସରକାର ବୁଧବାର ସଂସଦରେ ‘ଅନ୍‌ଲଫୁଲ ଆକ୍ଟିଭିଟି ପ୍ରିଭେନସନ୍‌ ଆମେଣ୍ଡମେଣ୍ଟ(ୟୁଏପିଏ)’ ବିଲ୍‌ ଉପସ୍ଥାପନ କରିଥିଲେ। ଏହା ଲୋକସଭାରେ ମଧ୍ୟ ପାସ୍‌ ହୋଇଥିଲା। ତେବେ ଏହି ବିଲ୍‌କୁ ବିରୋଧୀ ତୀବ୍ର ବିରୋଧ କରିଥିଲେ। ସମାଜବାଦୀ ପାର୍ଟିର ୫ ଜଣ ସାଂସଦଙ୍କ ମଧ୍ୟରୁ ୪ ଜଣ ବିଲ୍‌ ଉପରେ ହେଉଥିବା ଭୋଟିଂ ବେଳେ ଲୋକସଭାକୁ ବୟକଟ କରିଥିଲେ।

କିନ୍ତୁ ମୁଲାୟମ ସିଂହ ଯାଦବ ଗୃହରେ ବସି ରହିବା ସହିତ ମୋଦି-୨ ସରକାରଙ୍କ ଏହି ବିଲକୁ ସମର୍ଥନ କରିଥିଲେ। ଭୋଟିଂ ସମୟରେ ବିଜେପିର ଦୁଇ ଜଣ ସାଂସଦ ବ୍ରିଜଭୂଷଣ ଶାରନ ଓ ବୀରେନ୍ଦ୍ର ସିଂହ ମାଷ୍ଟ ସମାଜବାଦୀ ନେତା ମୁଲାୟମ ସିଂହ ଯାଦବଙ୍କ ପଛରେ ବସି ତାଙ୍କୁ ଭୋଟିଂରେ ସହଯୋଗ କରିଥିଲେ। ଏପରି କି ଭୋଟିଂ ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ମୁଲାୟମଙ୍କୁ ସମର୍ଥନ ପାଇଁ ଧନ୍ୟବାଦ ଦେଇଥିଲେ।

ଏହାପୂର୍ବରୁ ମଧ୍ୟ ମୋଦି-୧ ସରକାରଙ୍କ ସଂସଦର ଶେଷ ଦିନରେ ମୁଲାୟମ ସିଂହ ଯାଦବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଥରେ କ୍ଷମତା ଦଖଲ କରି ଏଠାକୁ ଆସନ୍ତୁ ବୋଲି ଶୁଭେଚ୍ଛା ଜଣାଇଥିଲେ। ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ଅଖିଲେଶଙ୍କ ଉପରେ ବାପା ମୁଲାୟମ ଖୁସି ନଥିବାରୁ ଏଭଳି କରୁଛନ୍ତି ବୋଲି ଅନେକ ମତ ଦେଇଛନ୍ତି।