ଏମିତି ଗାଁ ଯେଉଁଠି ଗୋଟିଏ ପତ୍ନୀରେ ଲୋକଙ୍କ ମନ ବୁଝେନି

ଲକ୍ଷ୍ନୌ: ୧୦୦ ପକ୍କା ଘର ଏବଂ ୩୦୦୦ ଗ୍ରାମବାସୀ ବସବାସ କରୁଥିବା ଉତ୍ତରପ୍ରଦେଶର ଫତେପୁର ଗାଁ ଆଖପାଖରେ ଥିବା ଅନ୍ୟ ଗାଁ’ଗୁଡ଼ିକ ଠାରୁ ଟିକେ ନିଆରା। ପ୍ରାୟ ସବୁ ପରିବାରରେ ଜଣେ ଜଣେ ସରକାରୀ ଚାକିରିଆ ହୋଇଥିବାବେଳେ ଫତେପୁର ଗାଁ ଏକ ଅଜବ ପରମ୍ପରା ପାଇଁ ଏବେ ଚର୍ଚ୍ଚାରେ। ଆଜ୍ଞା ହଁ, ସେହି ପରମ୍ପରା ହେଉଛି ‘ବହୁବିବାହ’। ଏହି ପରମ୍ପରା ଏବେ ସ୍ଥାନୀୟ ହିନ୍ଦୁମାନଙ୍କ ପାଇଁ ଏକ ସାମାଜିକ ପ୍ରଥା ଭାବେ ପ୍ରଚଳିତ ହେଉଛି।

ଏଠାରେ ବସବାସ କରୁଥିବା ପ୍ରାୟ ୩୦ଟି ବ୍ରାହ୍ମଣ ଏବଂ ଠାକୁର ପରିବାରର ଲୋକେ ୨ରୁ ୩ଥର ଲେଖାଏ ବିବାହ କରିଛନ୍ତି। କିଛି ଲୋକଙ୍କର ୨ଟି ଘର- ଗୋଟିଏ ଗାଁରେ ଆଉ ଗୋଟିଏ କର୍ମସ୍ଥଳୀରେ। ଉଭୟ ସ୍ଥାନରେ ଜଣେ ଲେଖାଏ ସ୍ତ୍ରୀ ରହିଥା’ନ୍ତି। ଆଉ କିଛି ବ୍ୟକ୍ତିଙ୍କ ୨ ପତ୍ନୀ ଏକାଠି ଶାନ୍ତିପୂର୍ଣ୍ଣ ଭାବେ ରହିଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ସରକାରୀ ଚାକିରିରେ ଅଛନ୍ତି ଏବଂ ଜାଣିଛନ୍ତି କେହି ଏ ବିଷୟରେ ଅଭିଯୋଗ କଲେ ତାଙ୍କ ଚାକିରି ଯିବା ନିଶ୍ଚିତ। କିନ୍ତୁ ଏ ବିପଦଟି ତାଙ୍କ ବୈବାହିକ ଜୀବନରେ ଏଯାଏ ଆଞ୍ଚ ଆଣିପାରିନି। କାରଣ ସେମାନେ ଏହି ପରମ୍ପରା ବାବଦରେ ବାହାର ଲୋକଙ୍କୁ କୁହନ୍ତିନି। ଏମିତିକି ଗାଁ’ରେ ମଧ୍ୟ ଗୋପନୀୟତାର ସହିତ ଏ ବିଷୟରେ ଆଲୋଚନା ହୁଏ।

ନିକଟରେ ମୃତ୍ୟୁବରଣ କରିଥିବା ଜଣେ ଶିକ୍ଷକ ୩ଥର ବିବାହ କରିଥିଲେ। ଶମ୍ଭୁ ଦେବା ନାମକ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ପରିବାରରେ ସମସ୍ତେ ୨ ଥର ଲେଖାଏ ବିବାହ କରିଛନ୍ତି। ଏବେକାର ନୂଆ ପିଢ଼ି କିନ୍ତୁ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଭୟରେ ଏହି ପରମ୍ପରାକୁ ଭାଙ୍ଗିବାକୁ ବସିଲେଣି। ଏହି ପରମ୍ପରା ବାବଦରେ ଜଣେ ସ୍ଥାନୀୟ ବ୍ୟକ୍ତି କୁହନ୍ତି, ଯଦିଓ ଦ୍ୱିତୀୟ ବିବାହ ପାଇଁ ବିଭିନ୍ନ କାରଣ ଦର୍ଶାଯାଇ ଥାଏ, ପ୍ରକୃତରେ ଏପରି କରି ପୁରୁଷମାନେ ଗାଁରେ ନିଜର ଖାତିର ବଢ଼ାଇବାକୁ ଚାହାନ୍ତି।