ମୁମ୍ବାଇ ରେଳ ଷ୍ଟେସନରେ ଦଳାଚକଟା: ୨୨ ମୃତ, ୫୦ରୁ ଅଧିକ ଆହତ

ମୁମ୍ବାଇ: ମୁମ୍ବାଇର ଏଲଫିନ୍‌ଷ୍ଟୋନ୍‌ ରେଳ ଷ୍ଟେସନରେ ଦଳା ଚକଟା ଯୋଗୁଁ ୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨୦ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କେମ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି।

mumbai

ଏଲଫିନ୍‌ଷ୍ଟୋନ୍ ରେଳ ଷ୍ଟେସନର ଫୁଟ୍ ଓଭର ବ୍ରିଜ୍‌ରେ ଏହି ଦଳଚକଟା ହୋଇଛି। ପ୍ରବଳ ବର୍ଷା କାରଣରୁ ସକାଳ ପ୍ରାୟ ସାଢ଼େ ଦଶଟା ବେଳେ ଏହି ବ୍ରିଜ୍‌ ଉପରେ ଲୋକଙ୍କ ଭିଡ଼ ଜମି ଥିଲା। ତେବେ ହଠାତ ଗୁଜବ ସୃଷ୍ଟି ହେଲା ଯେ ଅଧିକ ଗହଳି ଯୋଗୁଁ ବ୍ରିଜ୍‌ଟି ଭୁଶୁଡ଼ିବା ଅବସ୍ଥାକୁ ଚାଲିଯାଇଛି। ଏହା ଶୁଣି ଲୋକେ ଧାଁଦୌଡ଼ ଆରମ୍ଭ କରି ଦେଇଥିଲେ। ଏଥିଯୋଗୁଁ ଦଳାଚକଟା ହୋଇଥିଲା।

ତେବେ ରେଳବାଇ ଡିଜି (ପିଆର୍‌ଓ) ଅନୀଲ ସାକ୍ସେନା କହିଛନ୍ତି- “ଏଲଫିନ୍‌ଷ୍ଟୋନ୍‌-ପରେଲ ଷ୍ଟେସନର ସଂଯୋଗକାରୀ ବ୍ରିଜ୍‌ରେ ଏହି ଅଘଟଣ ଘଟିଛି। ପ୍ରବଳ ବର୍ଷା ହେବାରୁ ଲୋକେ ଫୁଟ୍ ଓଭର ବ୍ରିଜରେ ଥିଲେ। ବର୍ଷା ଟିକେ କମିବା ପରେ ଓହ୍ଲାଉଥିଲେ। ଓହ୍ଲାଇବା ବେଳେ ଜଣେ ଲୋକର ଗୋଡ଼ ଖସି ଯାଇଥିଲା। ସେ ପଡ଼ିଯିବାରୁ ଦଳାଚକଟା ଆରମ୍ଭ ହୋଇଯାଇଥିଲା।”