ମୁମ୍ବାଇ ବିମାନବନ୍ଦର ଉଡ଼ାଇ ଦେବାକୁ ଧମକ

ମୁମ୍ବାଇ: ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ। ଏହା ପରେ ବିମାନବନ୍ଦର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ପୂରା ସହରରେ ହାଇଆଲର୍ଟ ଜାରି କରାଯାଇଛି। ଶନିବାର ରାତିରେ କେହି ଦୁର୍ବୃତ୍ତ ଫୋନ୍ କରି ବିମାନବନ୍ଦରକୁ ଉଡ଼ାଇ ଦେବାକୁ ଧମକ ଦେବା ପରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବମ୍ ସ୍କ୍ୱାଡ୍ ବିମାନବନ୍ଦର ପରିସରରେ ତନଖି କରିଛି।

ଫୋନ୍ କରି ଧମକ ଦେଇଥିବା ବ୍ୟକ୍ତି ଜଣଙ୍କ ହିନ୍ଦୀରେ କଥାବାର୍ତ୍ତା କରୁଥିଲେ। ସେ କହିଥିଲେ, ଫେବ୍ରୁଆରୀ ୨ ତାରିଖ ପୂର୍ବରୁ ମୁମ୍ବାଇ ବିମାନବନ୍ଦରକୁ ଉଡ଼ାଇ ଦିଆଯିବ।

ମୁମ୍ବାଇ ପୋଲିସ୍ ପକ୍ଷରୁ କୁହାଯାଇଛି ଯେ ସାଧାରଣତନ୍ତ୍ର ଦିବସ ତଥା ଆଇଏସ୍ଆଇଏସର ସନ୍ଦିଗ୍ଧ ଆତଙ୍କୀଙ୍କୁ ଧରପଗଡ଼ କରିବା ମଧ୍ୟରେ ସହରରେ ସୁରକ୍ଷା ବ୍ୟବସ୍ଥାକୁ ପୂର୍ବରୁ କଡ଼ାକଡ଼ି କରି ଦିଆଯାଇଛି। ବିମାନବନ୍ଦର ଉଡ଼ାଇ ଦେବାକୁ ଧମକ ମିଳିବା ପରେ ସୁରକ୍ଷାକର୍ମୀଙ୍କୁ ଅଧିକ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି।

ଏହା ପୂର୍ବରୁ ମୁମ୍ବାଇ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଧମକପୂର୍ଣ୍ଣ ଚିଠି ମିଳିଥିବା କୁହାଯାଉଥିଲା। କିନ୍ତୁ ପରେ ଏହା ଗୁଜବ ଥିଲା ବୋଲି ଜଣାପଡ଼ିଥିଲା। ଏହି ଖବରକୁ ମୁମ୍ବାଇ ପୋଲିସ୍ ପକ୍ଷରୁ ଖଣ୍ଡନ କରାଯାଇଥିଲା।