ଖୁବଶୀଘ୍ର ଇସ୍ତଫା ଦେବେ ବହୁ କଂଗ୍ରେସ ଓ ଏନ୍‌ସିପି ବିଧାୟକ: ବିଜେପି

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଖୁବ୍‌ଶୀଘ୍ର ବହୁ କଂଗ୍ରେସ ଓ ଏନ୍‌ସିପି ବିଧାୟକ ଦଳରୁ ଇସ୍ତଫା ଦେବେ।

ଆସନ୍ତା ଗୋଟିଏ ସପ୍ତାହ କିମ୍ବା ୧୦ ଦିନ ମଧ୍ୟରେ ଇସ୍ତଫା ଦେଇଥିବା ରାଜନେତାମାନେ ବିଜେପିରେ ସାମିଲ ହେବେ ବୋଲି ସେ କହିଛନ୍ତି।

ତେବେ ପାଟିଲଙ୍କ ଏଭଳି ବୟାନ ଉପରେ କଡ଼ା ପ୍ରତିକ୍ରିୟା ରଖିଛି ଏନ୍‌ସିପି। ବିଧାନସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ କ୍ୟାମ୍ପରେ ହଟଚମଟ ଓ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ବିଜେପି ନେତା ଏଭଳି ବୟାନ ଦେଉଥିବା ଏନ୍‌ସିପି କହିଛି।

ମହାରାଷ୍ଟ୍ରର ସୋଲାପୁର ଠାରେ ଥିବା ସରକାରୀ ବିଶ୍ରାମ ଭବନ ଠାରେ ସାମ୍ବାଦିକଙ୍କୁ ସୂଚନା ଦେଇ ଶ୍ରୀ ପାଟିଲ କହିଛନ୍ତି, “ ବର୍ତ୍ତମାନ ମହାରାଷ୍ଟ୍ରରେ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି ଯେ ବହୁ କଂଗ୍ରେସ ଓ ଏନ୍‌ସିପି ବିଧାୟକ ଇସ୍ତଫା ଦେବାକୁ ପ୍ରସ୍ତୁତ ହେଉଛନ୍ତି।

ଯଦି ମୁଁ ଏବେଠାରୁ ସେମାନଙ୍କ ନାଁ କହିଦେବି, ତା’ହେଲେ ଆଉ ମଜା ଲାଗିବ ନାହିଁ। ତେଣୁ ସମସ୍ତଙ୍କୁ ଚଳିତ ସପ୍ତାହ ଶେଷ ଯାଏ ଅପେକ୍ଷା କରିବାକୁ ପଡ଼ିବ।”

ପୂର୍ବରୁ ଶ୍ରୀ ପାଟିଲ ମହାରାଷ୍ଟ୍ର କଂଗ୍ରେସର ୫ ଜଣ କାର୍ଯ୍ୟକାରୀ ସଭାପତି ଖୁବ୍‌ଶୀଘ୍ର ବିଜେପିରେ ମିଶିବେ ବୋଲି କହିଥିଲେ।