ମହେଶ ଓ ଆଲିଆଙ୍କୁ ହତ୍ୟା ଧମକ, ଜଣେ ଗିରଫ

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ମହେଶ ଭଟ୍ଟ ଓ ତାଙ୍କ ଅଭିନେତ୍ରୀ ଝିଅ ଆଲିଆଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରିଛି ମୁମ୍ବାଇ ପୋଲିସ୍। ଉତ୍ତର ପ୍ରଦେଶ ପୋଲିସ୍ ସହାୟତାରେ ଅଭିଯୁକ୍ତକୁ ଗିରଫ କରାଯାଇଛି।

ଅଭିଯୁକ୍ତ ଫୋନ୍‌ରେ ୫୦ଲକ୍ଷ ଟଙ୍କା ଦାବି କରିବା ସହ ଟଙ୍କା ନ ଦେଲେ ହତ୍ୟା ପାଇଁ ଧମକ ଦେଇଥିବା ମହେଶ ଅଭିଯୋଗ କରିଥିଲେ। କେବଳ ତାଙ୍କୁ ନୁହେଁ ତାଙ୍କ ପତ୍ନୀ ଏବଂ ଝିଅ ଆଲିଆଙ୍କୁ ମଧ୍ୟ କ୍ଷତି ପହଞ୍ଚାଇବାକୁ ସେ ଧମକ ଦେଇଥିବା ସେ ଅଭିଯୋଗ କରିଥିଲେ।  ମହେଶ ଏନେଇ ଟ୍ୱିଟ୍‌ କରିବା ସହିତ ଜୁହୁ ଥାନାରେ ଏତଲା ଦେଇଥିଲେ।

ଗତ ଫେବ୍ରୁଆରୀ ୨୬ ତାରିଖ ରାତିରେ ମହେଶଙ୍କ ମୋବାଇଲ ଫୋନ୍‌କୁ ଏହି ଧମକପୂର୍ଣ୍ଣ କଲ୍‌ ଆସିଥିଲା। ତା’ସହ ଦୁର୍ବୃତ୍ତ ଜଣକ ଏସ୍‌ଏମ୍‌ଏସ୍‌ ଓ ହ୍ୱାଟ୍ସଅପ୍‌ ମେସେଜ୍ ଜରିଆରେ ମଧ୍ୟ ଧମକ ଦେଇଥିଲା। ଲକ୍ଷ୍ମୌର ଏକ ବ୍ୟାଙ୍କ ଆକାଉଣ୍ଟରେ  ଟଙ୍କା ଜମା କରିବା ପାଇଁ ସେ ଏଥିରେ ଲେଖିଥିଲା।  ମୁମ୍ବାଇ ପୋଲିସ୍‌ର ଏକ ସ୍ୱତନ୍ତ୍ର ସେଲ୍‌ ଏ ସଂପର୍କରେ ଖୋଳତାଡ଼ କରି ଅଭିଯୁକ୍ତକୁ ଗିରଫ କରିଛି।