ମା’ଙ୍କୁ ଗାଳି କରୁଥିଲେ, ପୁଅକୁ ଘରୁ ବାହାର କରିଦେଲେ ହାଇକୋର୍ଟ

ମୁମ୍ବାଇ: ବାପ ମା’ଙ୍କୁ ହଇରାଣ କରୁଛନ୍ତି କି ? ତେବେ ଆପଣ ଘରୁ ତଡ଼ା ଖାଇପାରନ୍ତି। ଏମିତିକି ଆପଣ ପୈତୃକ ସମ୍ପତ୍ତି ଅଧିକାରରୁ ବଞ୍ଚିତ ହୋଇପାରନ୍ତି।  କାରଣ ମୁମ୍ବାଇ ହାଇକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି।  ଜଣେ ୭୫ ବର୍ଷୀୟ ମହିଳାଙ୍କୁ ତାଙ୍କ ପୁଅ ବାରମ୍ବାର ଦୁର୍ବ୍ୟବହାର କରିବାରୁ ସମ୍ପୃକ୍ତ ପୁଅକୁ ଘରକୁ ପ୍ରବେଶନେଇ ବାରଣ କରିଛନ୍ତି ହାଇକୋର୍ଟ। ସମ୍ପୃକ୍ତ ମହିଳା ଜଣକ ପେଶାରେ ଜଣେ ଡାକ୍ତର। ଜଷ୍ଟିସ ଏସ୍‌ଜେ କଥାୱାଲାଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ମହିଳାଙ୍କ ପୁଅଙ୍କର ଗୃହ ପ୍ରବେଶ ଆବେଦନକୁ ଖାରଜ କରିଦେଇଛନ୍ତି। ଖଣ୍ଡପୀଠ କହିଥିଲେ, ‘ଯଦି ମା’ ପୁଅ ଦ୍ୱାରା ହଇରାଣ ହେଉଥିବା ଅଭିଯୋଗ ଆସିଛି ତେବେ ଅଭିଯୁକ୍ତ ପୁଅର ମା’ଙ୍କ ଘର ଉପରେ କୌଣସି ଅଧିକାର ନାହିଁ। ମାମଲା ଆଧାରରେ ସେ କୌଣସି ପ୍ରକାରର ହକ ଓ ଘରକୁ ନେଇ ପୁଅ ପ୍ରବେଶ ଦାବି କରିପାରିବେ ନାହିଁ।’

ତେବେ ପୁଅ ଏ ନେଇ ପାଲଟା ଅଭିଯୋଗ କରିଥିଲେ। ସେ କହିଥିଲେ ଯେ ,ତାଙ୍କ ପତ୍ନୀ ଓ ପିଲାମାନେ ଘରୁ ବାହାରକୁ ଯାଇଥିବାବେଳେ ତାଙ୍କ ମା’ ଘରର ତାଲା ବଦଳାଇ ଦେଇଥିଲେ। ଏଥିସହ ତାଙ୍କୁ ଘରକୁ ପଶିବାକୁ ଦେଉ ନାହାଁନ୍ତି। ତେଣୁ ସେ କୋର୍ଟ ନିକଟରେ ଘରକୁ ପ୍ରବେଶ କରିବାର ଅନୁମତି ମାଗିଥିଲେ। ସେ ଅଭିଯୋଗ କରିଥିଲେ ଯେ, ତାଙ୍କ ମା’ ତାଙ୍କୁ ଓ ତାଙ୍କ ପରିବାରକୁ ଘରୁ ବାହାର କରିଦେଇଛନ୍ତି ଏବଂ ସମ୍ପତ୍ତିରୁ ବେଦଖଲ କରିଦେଇଛନ୍ତି। ଯେଉଁଥିରେ କି ତାଙ୍କର ଅଧିକାର ରହିଛି।

ମହିଳା ଜଣକ କୋର୍ଟକୁ କହିଥିଲେ ଯେ, ଘରଟି ତାଙ୍କର ଓ ତାଙ୍କ ସ୍ୱର୍ଗତ ସ୍ୱାମୀଙ୍କ ନାଁରେ ଅଛି। ତାଙ୍କ ପୁଅ ତାଙ୍କୁ  ଦୀର୍ଘ ବର୍ଷ ହେଲାଣି ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଛନ୍ତି । ଏପରିକି ତାଙ୍କ ପୁଅର ପତ୍ନୀ ମଧ୍ୟ ତାଙ୍କୁ ହଇରାଣ ହରକତ କରୁଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ ତାଙ୍କ ପୁଅର ଏଭଳି ଦୁର୍ବ୍ୟବହାର ପାଇଁ ତା’ର ମାନସିକ ଚିକିତ୍ସା କରାଯାଇଥିଲା। ହେଲେ ଏହା ପରେ ମଧ୍ୟ ତା’ର ବ୍ୟବହାରରେ କୌଣସି ପରବର୍ତ୍ତନ ଆସି ନ ଥିଲା। ଫଳରେ ସେ ଅନେକ ଡରିଯାଇଥିଲେ। ତେଣୁ ଦିନେ ତାଙ୍କ ପୁଅ, ବହୁ ଓ ନାତି ଘରୁ ବାହାରକୁ ଯାଇଥିବା ବେଳେ ସେ ନିଜକୁ ସୁରକ୍ଷିତ ରଖିବାପାଇଁ ଘରର ତାଲା ବଦଳାଇ ଦେଇଥିଲେ। ମହିଳା ଜଣକୁ ସ୍ଥାନୀୟ ପୋଲିସ ସୁରକ୍ଷା ଦେବାକୁ କୋର୍ଟଙ୍କ ନିକଟରେ ଆବେଦନ ମଧ୍ୟ କରିଥିଲେ। ଖଣ୍ଡପୀଠ ମହିଳାଙ୍କୁ ପୋଲିସ ସୁରକ୍ଷା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେବା ସହ ତାଙ୍କ ପୁଅ ଓ ବହୁଙ୍କୁ ତାଙ୍କ ମା’ଙ୍କ ଘରୁ ନିଜର ସମସ୍ତ ଜିନିଷପତ୍ର ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।