ଆସିଲା କମଳା ମିଲ୍ସ ଅଗ୍ନିକାଣ୍ଡ ରିପୋର୍ଟ: ହୁକା ବାର୍‌ରୁ ଲାଗିଲା ନିଆଁ

ମୁମ୍ୱାଇ: ମୁମ୍ବାଇର ଲୋୟର ପରେଲ୍‌ ଅଞ୍ଚଳରେ ଥିବା କମଳା ମିଲ୍ସରେ ଗତ ମାସରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଘଟଣାର ରିପୋର୍ଟ ଆସିଛି। ମୁମ୍ବାଇ ଅଗ୍ନିଶମ ବିଭାଗ ଦେଇଥିବା ରିପୋର୍ଟ ଅନୁସାରେ ନିକଟରେ ଥିବା ହୁକା ବାର୍‌ରୁ ନିଆଁ ଲାଗିଛି। ହୁକା ବାରରୁ କୌଣସି କାରଣରୁ ନିଆଁ ଲାଗି ମିଲ୍ସର ପରଦାରେ ଲାଗିଯାଇଥିଲା। ଏହାପରେ ନିଆଁ ଭୟାନକ ରୂପ ନେଇଥିଲା ବୋଲି ରିପୋର୍ଟରେ କୁହାଯାଇଛି। କମଳା ମିଲ୍ସ ପରିସରରେ ଥିବା ଦୁଇଟି ଯାକ ରେସ୍ତୋରାଁରେ ହୁକା ବାର ପାଇଁ କୌଣସି ଲାଇସେନ୍ସ ନଥିବା ମଧ୍ୟ ରିପୋର୍ଟରେ ପ୍ରକାଶ ପାଇଛି। ଅନ୍ୟପକ୍ଷରେ କମଳା ମିଲ୍ସ ଟ୍ରାଜେଡିର ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ଦେଲେ ୧ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ବମ୍ବେ ମ୍ୟୁନିସିପାଲ କର୍ପୋରେସନ୍ ବିଏସ୍‌ସି ଘୋଷଣା କରିଛି।

ସୂଚନାଯୋଗ୍ୟ,ଏହି ଅଗ୍ନିକାଣ୍ଡରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରୁ ୧୧ଜଣ ମହିଳା ଥିଲେ। ସମସ୍ତେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ। ଏହାସହିତ ୧୫ରୁ ଅଧିକ ଆହତ ହୋଇଥିଲେ। ଏହି ନିଆଁରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍ ବଡ଼ପାଟପୁର ଗାଁରେ ସର୍ବଜିତ ପରିଡ଼ା ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା।  ସେ ଏହି ହୋଯେଲରେ କାମ କରୁଥିଲେ।