୫୦ ସେକେଣ୍ଡରେ ପଢି ଦେଲି ଲିଡରସିପ୍ ବହି: ମୁମ୍ୱାଇ ଯୁବକଙ୍କ ଫେସବୁକ୍ ପୋଷ୍ଟ ଭାଇରାଲ୍, କ’ଣ ଶିଖାଇଲେ ରତନ ଟାଟା

ମୁମ୍ୱାଇ-କେହି ଥରେ କହିଥିଲେ, ଜୀବନରେ ଯେତିକି ଲୋକ ତୁମ ଜୀବନରେ ଆସିଛନ୍ତି, ତୁମେ ହେଉଛି ସେସବୁର ସମାହାର। ଏହି ଯୁକ୍ତିରେ ଯଦି ତୁମେ ଜଣେ ପ୍ରେରଣାଦାୟୀ ବ୍ୟକ୍ତିଙ୍କୁ ଗୋଟିଏ ମିନିଟ୍ ପାଇଁ ପାଖରେ ପାଉଛ, ତେବେ ତାହା ବି ତୁମ ଜୀବନକୁ ଦେବ ଅନୁଭୂତି।

ମୁମ୍ୱାଇର ଜଣେ ଯୁବକଙ୍କ ଏକ ଫେସବୁକ୍ ପୋଷ୍ଟ-୫୦ ସେକେଣ୍ଡରେ ପଢିଦେଲି ଲିଡରସିପ୍ ବୁକ୍- ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।

ମୁମ୍ୱାଇର ସୁମିତ୍ ନାଗଦେବ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଗତକାଲି ରାତିରେ ମାତ୍ର ୫୦ ସେକେଣ୍ଡ ଭିତରେ ମୁଁ ଏକ ଲିଡରସିପ୍ ପୁସ୍ତକକୁ ପଢ଼ି ସାରି ଦେଲି। ଏହାପରେ ନିଜ ପୋଷ୍ଟରେ ଲେଖିଛନ୍ତି ଏହା କେମିତି ହେଲା ସମ୍ଭବ।

TATAସେଦିନ ରାତିରେ ସାଉଥ୍ ମୁମ୍ୱାଇର ତାଜ୍ ମହଲ୍ ହୋଟେଲର ରିସେପସନ୍ କାଉଣ୍ଟର ପାଖରେ ନିଜ କାର୍ ପାଇଁ ସେ ଅପେକ୍ଷା କରିଥିଲେ। ଏହି ସମୟରେ ଜଣେ ବୟସ୍କ ଲୋକଙ୍କୁ ସେ ଦୂରରୁ ଦେଖିଥିଲେ। ଯାହାଙ୍କ ପାଖେ ପାଖେ ଥିଲେ ଦୁଇଜଣ ସାଧାରଣ ଲୋକ। ଝାପସା ଆଲୁଅରେ ସଫା ଦେଖା ଗଲା ଜଣେ ଆମାୟିକ ବ୍ୟକ୍ତିଙ୍କ ଚେହେରା। ସେ ଆଉ କେହି ନ ଥିଲେ, ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ରତନ ଟାଟା।

ସୁମିତ୍ ଏହି ଲେଖା ମାଧ୍ୟମରେ କହିବାକୁ ଚାହିଁଛନ୍ତି, ରତନଙ୍କ ଭଦ୍ର ସ୍ୱଭାବ ଓ ଆମାୟିକ ବ୍ୟବହାରକୁ। ହୋଟେଲ୍‌ରୁ ବାହାରିବା ବେଳେ ମାଲିକ ହୋଇ ସୁଦ୍ଧା ନିଜ କର୍ମଚାରୀଙ୍କ ସହ ସେ କେମିତି ଧିର ଗଳାରେ କଥାବାର୍ତ୍ତା ହେଉଥିଲେ। କେବଳ ସେତିକି ନୁହେଁ ହୋଟେଲ୍‌କୁ ଆସୁଥିବା ଅତିଥି ଓ ସାଧାରଣ ଲୋକେ ଯେମିତି ନିଜ କାରକୁ ଅପେକ୍ଷା କରନ୍ତି, ସେ ମଧ୍ୟ ନିଜ କାର୍ ପାଇଁ ସେମିତି କିଛି ସମୟ ଅପେକ୍ଷା କରିଥିଲେ। ସେ ଭାବିଥିଲେ ରତନ ଟାଟାଙ୍କୁ ନେବାକୁ ଏକ ଲମ୍ୱା ଓ ଦାମୀ ଗାଡି ଆସିବ। ହେଲେ ସେୟା ହୋଇ ନ ଥିଲା। ଏକ ପୁରୁଣା ସେଡାନ୍ ଆସି ପହଞ୍ଚିଥିଲା ରତନ ଟାଟାଙ୍କୁ ନେବାକୁ।

ହୋଣ୍ଡା ସିଭିକ୍ କାର୍ ପୋର୍ଟିକୋରେ ପହଞ୍ଚିବା ପରେ ସେ ଆସ୍ତେ ଆସ୍ତେ ସେହି କାର୍ ପାଖକୁ ଆସିଥିଲେ ରତନ। ଏତେବଡ଼ ଶିଳ୍ପପତି ସେହି ହୋଟେଲର ମାଲିକ ମଧ୍ୟ। ହେଲେ କୌଣସି କର୍ମଚାରୀ ତାଙ୍କୁ ସାଲ୍ୟୁଟ୍ ମାରୁ ନ ଥିଲେ କି କେହି କାର୍ ପର୍ଯ୍ୟନ୍ତ ପାଛୋଟି ନେଇ ନ ଥିଲେ। ବଂର ସେ ଏକା ଏକା ଯାଇ ବସିଥିଲେ କାରରେ। ହେଲେ ସାହେବଙ୍କ ଭଳି ପଛ ସିଟ୍‌ରେ ବସିବା ପରିବର୍ତ୍ତେ, ରତନ ବସିଥିଲେ ଡ୍ରାଇଭର୍ ସିଟ୍‌ରେ। ଏହାପରେ ପ୍ୟାଣ୍ଟର ପଛ ପକେଟ୍‌ରେ ରଖିଥିବା ପର୍ସକୁ କାଢିଥିଲେ, ଯେମିତି ସାଧାରଣ ଲୋକେ କରିଥାନ୍ତି। ଏହାପରେ ଧୀର ଗଳାରେ ଭାଲେଟ୍ ଡ୍ରାଇଭରଙ୍କୁ ଟିପ୍ସ ଦେବା ସହ କିଛି କହିଥିଲେ। ଯାହା ଡ୍ରାଇଭରଙ୍କ ମୁହଁରେ ହସ ଫୁଟାଇ ଦେଇଥିଲା।

ବାସ୍ ଏହାପରେ ନିଜେ ଡ୍ରାଇଭ କରି ରତନ୍ ବାହାରି ଯାଇଥିଲେ ହୋଟେଲ୍ ଭିତରୁ। ମାତ୍ର ୫୦ସେକେଣ୍ଡ ପରେ ପୁଣି ସେହି ପୁରୁଣା ଅବସ୍ଥାକୁ ଫେରି ଆସିଥିଲା ହୋଟେଲ୍ ତାଜମହଲ୍।

ଏହା ଦେଖି ସୁମିତଙ୍କ ମନରେ ଉତ୍ସୁକତା ଭରି ଯାଇଥିଲା। ସଙ୍ଗେ ସଙ୍ଗେ ଯାଇ ଭାଲେଟ୍ ଡ୍ରାଇଭରଙ୍କୁ ଭେଟିଥିଲେ। ତାଙ୍କୁ ପଚାରିଥିଲେ ଏ ବ୍ୟକ୍ତି ଜଣକ କ’ଣ ଏମିତି ସବୁବେଳେ ଭଦ୍ର, ନରମ ଓ ଆମାୟିକ। ଡ୍ରାଇଭରଙ୍କ ଚଟାପଟ୍ ଉତ୍ତର ଥିଲା, ଆଜ୍ଞା ସେ ଚମତ୍କାର। ସେ ସବୁ ବେଳେ ଏମିତି ସାଧାରଣ ଲୋକ ଭଳି ବ୍ୟବହାର କରନ୍ତି। ଏପରିକି ତାଙ୍କ କାର୍ ମଧ୍ୟରେ ହୋଟେଲ୍‌ ଭାଲେଟର ଲାଇନରେ ରହେ, ଠିକ୍ ଅନ୍ୟମାନଙ୍କ କାର୍ ଭଳି। ସବୁବେଳେ ହୋଟେଲକୁ ଆସିବା ବେଳେ ଓ ଯିବା ବେଳେ ସୁରକ୍ଷାକର୍ମୀ ଅନ୍ୟ ଅତିଥିଙ୍କୁ ଚେକିଂ କଲା ଭଳି ତାଙ୍କ କାରକୁ ମଧ୍ୟ ଚେକିଂ କରିଥାନ୍ତି।

ଶେଷରେ ସେ କହିଥିଲେ, ଲିଡରସିପ୍‌ ଇଜ୍ ନଟ୍ ଏବାଉଟ୍ ଡୁଇଂ ଏକ୍ସଟ୍ରା ଅଡିନାରୀ ଥିଙ୍ଗସ୍, ବଟ୍ ଡୁଇଂ କମନ୍ ଥିଙ୍ଗସ୍ ଇନ୍ ଆନ୍ ଏକ୍ସଟ୍ରା ଅଡିନାରୀ ମ୍ୟାନର୍।

ଅର୍ଥାତ୍ ଲିଡରସିପର ଅର୍ଥ ନୁହେଁ କେବଳ ଅସାଧାରଣ କାମ କରିବା। ବଂର ଅତି ସାଧାରଣ କାମକୁ ଅସାଧାରଣ ଭାବେ କରିବା ହେଉଛି ଲିଡରସିପ୍।