ଆମେଠିରେ ବିଜେପି କର୍ମୀଙ୍କୁ ହତ୍ୟା ଉଦ୍ୟମ

ଆମେଠି: ଉତ୍ତର ପ୍ରଦେଶ ଆମେଠିରେ ପୁଣି ଗର୍ଜିଛି ବନ୍ଧୁକ। ଚିବରହା ଗାଁର ମୁଖିଆ ଅଶୋକ କୁମାର ସିଂହଙ୍କୁ ଗତକାଲି ରାତିରେ ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ଏବେ ସେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ରାତିରେ ପିପିରରୁର ସ୍ଥିତ ଏକ ଇଟା ଭାଟିରୁ ଫେରିବା ବେଳେ ଦୁର୍ବୃତ୍ତମାନେ ଅଶୋକଙ୍କୁ ଗୁଳି କରିଥିଲେ ବୋଲି ଜଣାପଡ଼ିଛି। ମାସେ ପୂର୍ବରୁ ଆମେଠି ବୋରିଲିୟା ଗାଁର ମୁଖିଆ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହଯୋଗୀ ସୁରେନ୍ଦ୍ର ସିଂହଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏବେ ପୁଣି ଜଣେ ଗାଁ ମୁଖିଆ ଗୁଳିମାଡ଼ରେ ଆହତ ହେବା ଚର୍ଚ୍ଚାର ବିଷୟ ପାଲଟିଛି।

ଆମେଠି ପୁଲିସ ପ୍ରତିକ୍ରିୟାରେ କହିଛି ଅଶୋକ ରାତିରେ ନିଜ ଏସୟୁଭି କାରରେ ଆସୁଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ଚାରୋଟି ଗୁଳି ଅଶୋକଙ୍କୁ ଲକ୍ଷ୍ୟ କରିମାରିଥିଲେ। ଯେଉଁଥିରୁ ୨ଟି ଗୁଳି ବାଜିଥିବା ବେଳେ ଅନ୍ୟ ଦୁଇଟି ଗୁଳି ବାଜିନଥିଲା। ଗୁଳିମାଡ଼ର ଶିକାର ହେବା ପରେ ଅଶୋକ ସ୍ଥାନୀୟ ପୁଲିସକୁ ଫୋନ୍ କରି ଘଟଣା ବାବଦରେ ଅବଗତ କରାଇଥିଲେ। ଏହାପରେ ପୁଲିସ ଅଶୋକଙ୍କୁ ପ୍ରଥମେ ଜିଲ୍ଲା ହସ୍ପିଟାଲକୁ ନେଇଥିଲେ ହେଁ ପରେ ତାଙ୍କୁ ଲକ୍ଷ୍ନୌସ୍ଥିତ କେଜିଏମୟୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଅଶୋକ ପୁଲିସକୁ ଦେଇଥିବା ତଥ୍ୟ ଅନୁସାରେ ଚିବରହା ଗାଁର ଦୁଇ ଯୁବକ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି ଜଣାପଡ଼ିଛି। ଖୁବଶୀଘ୍ର ଦୁର୍ବୃତ୍ତଙ୍କୁ ପୁଲିସ ଗିରଫ କରିବ ବୋଲି କହିଛି।