୧୦ ବର୍ଷ ପରେ ମୁମ୍ବାଇରେ ମୋସି: କଅଁଳ ବୟସରେ ୨୬/୧୧ ଆକ୍ରମଣରେ ବାପା ମା’ଙ୍କୁ ହରାଇଥିଲା

ମୁମ୍ବାଇ: ମୁମ୍ବାଇ ଫେରିଛି ବେବି ମୋସି। ପ୍ରାୟ ୧୦ ବର୍ଷ ପରେ ମୁମ୍ବାଇରେ ଥିବା ନିଜ ଘରକୁ ଫେରିଛି ଇସ୍ରାଏଲର ବେବୀ ମୋସି। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ବେବୀ ମୋସି ମାଆ, ବାପାଙ୍କୁ ହରାଇଥିଲା। ତେବେ ଦୀର୍ଘ ସମୟ ପରେ ମୁମ୍ବାଇକୁ ଆସିଛି ମୋସି। ଜେଜେବାପା ଏବଂ ସମ୍ପର୍କୀୟଙ୍କ ସହ ସେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଥଲା।

ଏହି ଅବସରରେ ନରିମାନ୍ ପଏଣ୍ଟରେ ଥିବା ନିଜ ଅଭିଭାବକଙ୍କ ଘର ବୁଲି ଦେଖିଛି ମୋସି। ନରିମାନ୍ ପଏଣ୍ଟରେ ଥିବା ଘରେ ହିଁ ପ୍ରାଣ ହରାଇଥିଲେ ମୋସିଙ୍କ ବାପା ଏବଂ ମାଆ।ଏହାପରେ ମୋସି  ଗେଟ୍ ୱେ ଅଫ ଇଣ୍ଡିଆ ଏବଂ ତାଜ ପ୍ୟାଲେଶ ବି ବୁଲି ଦେଖିଥିଲେ। ମୋସିଙ୍କ ସହ ତା ସମ୍ପର୍କୀୟ ଏବଂ ଜେଜେ ବାପା ରହିଛନ୍ତି। ୨୬/୧୧ ମୁମ୍ବାଇ ଆକ୍ରମଣରେ ମୋସିଙ୍କ ବାପା ଓ ମାଆଙ୍କ ସହ ଅନ୍ୟ ୬ ଇସ୍ରାଏଲ ନାଗରିକ ପ୍ରାଣ ହରାଇଥିଲେ।  ଗତବର୍ଷ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ରାଏଲ ଗସ୍ତ ବେଳେ ମୋସିଙ୍କୁ ଭେଟିଥିଲେ।