ମୁସଲମାନ୍‌ ଦମ୍ପତି ହିନ୍ଦୁ ରୀତିରେ କଲେ ପୁଅ ବାହାଘର

ଡେରାଡୁନ୍: ଜାତିଭେଦରେ ଭାଗ ଭାଗ ହୋଇଯାଉଥିବା ଆମ ଦେଶରେ ଏମିତି କିଛି ପରିବାର ଅଛି, ଏମିତି କିଛି ଲୋକ ଅଛନ୍ତି, ଯେଉଁମାନଙ୍କ କଥା ଶୁଣିଲେ ଗର୍ବ ଲଗେ। ଉତ୍ତରାଖଣ୍ଡ ଡେରାଡୁନ୍‌ର ଏକ ମୁସଲିମ୍ ପରିବାର କଥା ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଏହି ମୁସଲମାନ୍‌ ପରିବାରରେ ନିକଟରେ ସମ୍ପନ୍ନ ହୋଇଛି ପୁଅ ବାହାଘର। ସମ୍ପୁର୍ଣ୍ଣ ହିନ୍ଦୁ ରୀତିରେ ପୁଅର ବିବାହ କରି ଦେଶରେ ଭାତୃଭାବର ଏକ ନୂଆ ନିଦର୍ଶନ ସୃଷ୍ଟି କରିଛନ୍ତି ମଇନୁଦ୍ଦୀନ୍‌ ଦମ୍ପତି।

ସୂଚନା ଅନୁସାରେ, ଉତ୍ତରାଖଣ୍ଡର ଡେରାଡୁନ୍‌ ନିବାସୀ ମଇନୁଦ୍ଦୀନ୍‌ ରାକେଶ ରାସ୍ତଗୀ ନାମକ ଜଣେ ହିନ୍ଦୁ ଶିଶୁକୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ। ରାକେଶକୁ ଯେତେବେଳେ ୧୨ ବର୍ଷ ବୟସ ହୋଇଥିଲା ସେବେଠାରୁ ସେ ମଇନୁଦ୍ଦୀନ୍‌ଙ୍କ ଘରେ ରହିଛନ୍ତି। ହେଲେ ମଇନୁଦ୍ଦୀନ୍‌ କେବେ ହେଲେ ରାକେଶର ଧର୍ମକୁ ନେଇ କେବେ ବି ପ୍ରଶ୍ନ ଉଠାଇ ନାହାନ୍ତି। ରାକେଶ ବଡ ହୋଇଯିବା ପରେ ସେ ତାଙ୍କ ବିବାହ ମଧ୍ୟ ବହୁତ ଧୁମ୍‌ଧାମ୍‌ରେ କରିଛନ୍ତି। ମଇନୁଦ୍ଦୀନ୍‌ଙ୍କ ପତ୍ନୀ ମଧ୍ୟ ତାଙ୍କ ବୋହୂକୁ ହିନ୍ଦୁ ରୀତିନୀତି ଅନୁସାରେ ସ୍ୱାଗତ କରିଛନ୍ତି।

ରାକେଶ କହିଛନ୍ତି,“ ମୁଁ ହୋଲି, ଦୀପାବଳି ପରି ବିଭିନ୍ନ ଉତ୍ସବ ଘରେ ଧୁମ୍‌ଧାମ୍‌ରେ ପାଳନ କରେ। ସମସ୍ତେ ମୋତେ ଭଲ ପାଇବା ସହ ଓ ସବୁ କ୍ଷେତ୍ରରେ ସାହାଯ୍ୟ ମଧ୍ୟ କରନ୍ତି। ସେମାନେ ମୁସଲିମ୍ ବୋଲି ମୁଁ କେବେ ଅନୁଭବ କରି ନାହିଁ।”