ମୁସଲିମ୍‌ ଯୁବକଙ୍କ ଜବରଦସ୍ତ ଦାଢ଼ିକାଟି ୩ ଗିରଫ

ଗୁଡ଼ଗାଓଁ: ହରିୟାଣାର ଗୁଡ଼ଗାଓଁରେ ଘଟିଥିବା ଏକ ସମ୍ବେଦନଶୀଳ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଜଣେ ମୁସଲିମ୍‌ ଯୁବକଙ୍କୁ ୩ ଜଣ ଜବରଦସ୍ତ ମାଡ଼ି ବସି ତାଙ୍କର ଦାଢ଼ି କାଟିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁଯାୟୀ, ହରିୟାଣାର ମେୱାତ୍‌ ଅଞ୍ଚଳରେ ରହୁଥିବା ଜଫରୁଦ୍ଦିନ ନାମକ ଜଣେ ଯୁବକ ଗୁଡ଼ଗାଓଁରେ ଏକ ହୋଟେଲ ଚଳାଇ ନିଜର ପେଟ ପୋଷନ୍ତି। ତେବେ ତାଙ୍କୁ କେତେ ଜଣ ପାକିସ୍ତାନୀ କହି ବାରମ୍ବାର ନିର୍ଯାତନା ଦେଇ ଆସୁଥିଲେ। ମଙ୍ଗଳବାର ସେ ଏହାର ପ୍ରତିବାଦ କରିବାରୁ କିଛି ଲୋକେ ତାଙ୍କୁ ଏକ ସେଲୁନ୍‌କୁ ନେଇ ଜବରଦସ୍ତ ତାଙ୍କର ଦାଢ଼ି କାଟିଦେଇଥିଲେ।

ପୂଲିସ ଏହି ଘଟଣାରେ ଧାର୍ମିକ ଭାବନାକୁ ଆଘାତ କରିବା ଏବଂ ଆକ୍ରମଣ କରିବା ନେଇ ଏକ ମାମଲା ରୁଜୁ ଜରିବା ସହ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୂଲିସର କହିବା ଅନୁଯାୟୀ, ଗିରଫ ଅଭିଯୁକ୍ତମାନଙ୍କର ପରିଚୟ ମିଳିଛି। ସେମାନେ ହେଲେ ଉତ୍ତରପ୍ରଦେଶର ଏକ୍‌ଲସ୍‌, ଗୌରବ ଏବଂ  ହରିୟାଣାର ନୀତିନ। ଏହି ଘଟଣାଟି ଗତ ଜୁଲାଇ ୩୧ ତାରିଖରେ ଘଟିଥିବା ଜଣାପଡ଼ିଛି।

ସୌଜନ୍ୟ: ଏନ୍‌ଡିଟିଭି