ସଲମାନଙ୍କ ମାମଲାରେ ଟିପ୍ପଣୀ କରିଥିବା ପାକ୍‌ ମନ୍ତ୍ରୀଙ୍କୁ ଏମିତି ଜବାବ୍ ଦେଲେ ନଜ୍‌ମା ହେପତୁଲ୍ଲା

ଇମ୍ଫାଲ୍: ଭାରତର ସାମ୍ପ୍ରଦାୟିକ ସଦଭାବନାକୁ କ୍ଷୁଣ୍ଣ କରିବା ପାଇଁ ପୁଣିଥରେ ବିଷ ମଞ୍ଜି ବୁଣିବାକୁ ଚେଷ୍ଟା କରିଛି ମନ୍ଦ ବୁଦ୍ଧି ସମ୍ପନ୍ନ ପାକିସ୍ତାନ। କୃଷ୍ଣସାର ମୃଗ ଶିକାର ମାମଲାର ଅଭିନେତା ସଲମାନ ଖାନଙ୍କୁ ହୋଇଥିବା ୫ ବର୍ଷ ଜେଲ୍‌ ଦଣ୍ଡ ଉପରେ ପ୍ରଶ୍ନ ଉଠାଇଛି ଏହି ଚିର ପ୍ରତିଦ୍ୱନ୍ଦ୍ୱୀ ପଡ଼ୋଶୀ। ପାକିସ୍ତାନ ବିଦେଶ ମନ୍ତ୍ରୀ ଖ୍ୱାଜା ମୁହମ୍ମଦ ଅସିଫ୍‌ କହିଛନ୍ତି ଯେ, ସଲମାନ ଭାରତରେ ଲଘୁ ସମ୍ପ୍ରଦାୟର ବ୍ୟକ୍ତି ହୋଇଥିବାରୁ ତାଙ୍କୁ ଏପରି ଦଣ୍ଡ ଦିଆଯାଇଛି। ସେଠାକାର ଶାସକ ଦଳ ସହିତ ଯଦି ସଲମାନଙ୍କ ଧର୍ମ ସମାନ ହୋଇଥାନ୍ତା, ତାହାଲେ ତାଙ୍କୁ ଏପରି ଦଣ୍ଡ ମିଳି ନଥାନ୍ତା।

ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ଏପରି ଟିପ୍ପଣୀକୁ ଭାରତରେ କଡ଼ା ନିନ୍ଦା କରାଯାଇଛି। ଖ୍ୱାଜା ଅସିଫ୍‌ଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ମଣିପୁର ରାଜ୍ୟପାଳ ନଜ୍‌ମା ହେପ୍‌ତୁଲ୍ଲା। ସେ କହିଛନ୍ତି ଯେ, ଭାରତର ଆଭ୍ୟନ୍ତରୀଣ ମାମଲାରେ ପାକିସ୍ତାନ ମୁଣ୍ଡ ଖେଳାଇବାର ଆବଶ୍ୟକତା ନାହିଁ। ଭାରତର ନିଜର ସମ୍ବିଧାନ ଓ ଆଇନ୍‌ ବ୍ୟବସ୍ଥା ଅଛି। ଏହା ନିଜେ ନିଜ ସମସ୍ୟାର ସମାଧାନ କରିପାରିବ। ଏଠାରେ କୌଣସି ବ୍ୟକ୍ତିଙ୍କୁ ଜାତି, ଧର୍ମ ଆଧାରରେ ଦଣ୍ଡ ଦିଆଯାଏ ନାହିଁ। ଅପରାଧ ଅନୁସାରେ ଦଣ୍ଡ ମିଳିଥାଏ। ଯଦି ସଲମାନ ଦୋଷ କରିଛନ୍ତି ତାହାଲେ ତା’ର ମୂଲ୍ୟ ମଧ୍ୟ ତାଙ୍କୁ ଦେବାକୁ ପଡ଼ିବ ବୋଲି ନଜ୍‌ମା କହିଛନ୍ତି। ସେହିପରି ଜମ୍ମୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଶେଖ୍‌ ଅବ୍‌ଦୁଲ୍ଲା ମଧ୍ୟ ପାକିସ୍ତାନକୁ କଡ଼ା ନିନ୍ଦା କରିଛନ୍ତି। ପାକିସ୍ତାନର ଏପରି ମନ୍ତବ୍ୟ ଭୁଲ୍‌କଥା। ସେ ପ୍ରଥମେ ନିଜ କଥା ବୁଝୁ ବୋଲି ଶେଖ ଅବ୍‌ଦୁଲ୍ଲା କହିଛନ୍ତି।

ପାକିସ୍ତାନର ଏକ ଘରୋଇ ଟିଭି ଚ୍ୟାନେଲ୍‌ରେ ସାକ୍ଷାତ୍‌କାର ସମୟରେ ପାକ୍‌ ବିଦେଶଙ୍କ ଏପରି ଘରଭଙ୍ଗା ମନ୍ତବ୍ୟ ଦେଇଥିଲେ। ଏହା ପରେ ଭାରତରେ ଏହାକୁ କଡ଼ା ସମାଲୋଚନା କରାଯାଇଥିଲା।