ନକଲି ୨୦୦୦ ଟଙ୍କିଆ ନୋଟ ସୀମା ପାରକୁ ନେଇ ଚିନ୍ତାରେ ଯବାନ

ନୂଆଦିଲ୍ଲୀ: ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ବନ୍ଦ କରାଯାଇ ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ ଆସିବାର ୩ମାସ ହୋଇଛି ପଡ଼ୋଶୀ ପାକିସ୍ତାନ ନକଲି ୨୦୦୦ ଟଙ୍କିଆ ନୋଟ୍‌ ବନାଇବା ଆରମ୍ଭ କରିଦେଇଛି। ଏହା ଜଣାପଡିବା ପରେ କେନ୍ଦ୍ର ସରକାରଙ୍କ ଚିନ୍ତା ବଢି ଯାଇଛି। ବିଏସ୍‌ଏଫ ଓ ଏନ୍‌ଆଇଏ କିଛିଦିନ ପୂର୍ବରୁ ସୀମା ନିକଟରୁ ନକଲି ୨୦୦୦ ଟଙ୍କିଆ ନୋଟ୍‌ ଜବତ କରିଛନ୍ତି। ଭାରତ-ବାଂଲାଦେଶ ସୀମାରୁ ଏହି ଟଙ୍କା ଜବତ କରାଯାଇଛି। ପାକିସ୍ତାନରୁ ପ୍ରସ୍ତୁତ ଏହି ନକଲି ନୋଟ୍‌ ବାଂଲାଦେଶ ଦେଇ ଭାରତକୁ ଛଡାଯାଉଥିବା ଅଭିଯୋଗ ହେଉଛି।

୨୦୦୦ ଟଙ୍କିଆ ନକଲି ନୋଟ୍‌ ଗତ ଏକ ମାସ ହେବ ସୀମା ନିକଟରୁ ଜବତ କରାଯାଉଥିବା ବେଳେ ଏହା ଗୁଇନ୍ଦା ବିଭାଗ ଓ ସୁରକ୍ଷା କର୍ମୀଙ୍କ ନିଦ ହଜାଇ ଦେଇଛି।

ଜଣେ ବରିଷ୍ଠ ବିଏସ୍‌ଏଫ୍‌ ଅଧିକାରୀ କହିଛନ୍ତି,“ସୁରକ୍ଷା ଏଜେନ୍ସିଙ୍କ ଦ୍ୱାରା ଜବତ ନକଲି ନୋଟ୍‌ ସଂଖ୍ୟା ଚିନ୍ତାଜନକ ରହିଛି। ଯେଉଁ ଟଙ୍କା ଜବତ ହେଉଛି ସେଥିରେ ଅଧାରୁ ଅଧିକ ନୂଆ ୨୦୦୦ ଟଙ୍କିଆ। ଏଥିପାଇଁ ଆମେ ଆରବିଆଇ ଅଧିକାରୀଙ୍କ ସହ ଯବାନଙ୍କୁ ଅସଲି ୨୦୦୦ ଟଙ୍କିଆ ନୋଟ ଚିହ୍ନଟ ପାଇଁ ଟ୍ରେନିଂ ଦେବାକୁ କଥାବାର୍ତ୍ତା କରୁଛୁ।”