ତାଜ୍‌ମହଲ୍‌ରେ ଆଉ ପଢ଼ାଯିବ ନାହିଁ ନମାଜ

ନୂଆଦିଲ୍ଲୀ: ଦୁନିଆର ସପ୍ତାଶ୍ଚର୍ଯ୍ୟ ତାଲିରେ ସାମିଲ ଥିବା ପ୍ରେମର ପ୍ରତୀକ ତାଜ୍‌ମହଲ୍‌ରେ ଆଉ ନମାଜ୍ ପଢ଼ାଯିବ ନାହିଁ। ସୁପ୍ରିମ କୋର୍ଟ ଆଜି କହିଛନ୍ତି ଯେ ତାଜମହଲ ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ହୋଇଥିବାରୁ ଏଠାରେ ନମାଜ ପଢ଼ାଯାଇପାରିବ ନାହିଁ। ଅନ୍ୟ କୌଣସି ସ୍ଥାନରେ ନମାଜ ପଢ଼ିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାନୀୟ ମୁସଲମାନମାନେ ତାଜ୍‌ମହଲ୍‌ରେ ସେମାନଙ୍କ ସହ ବାହାର ଲୋକଙ୍କୁ ବି ନମାଜ ପଢ଼ିବାକୁ ଅନୁମତି ଦିଆଯିବା ନେଇ ଆବେଦନ କରିଥିଲେ। ଯାହାକୁ ସୁପ୍ରିମ କୋର୍ଟ ଆଜି ଖାରଜ କରିଛନ୍ତି।

କୁହାଯାଏ, ତାଜ୍‌ଜମହଲ୍‌ରେ ଥିବା ମସଜିଦ୍‌ରେ ଶୁକ୍ରବାର ଦିନ ଜୁମାର ନମାଜ ପଢ଼ାଯାଏ। ଏହାକୁ ନେଇ ପୂର୍ବରୁ ଅନେକ ବିରୋଧ ମଧ୍ୟ ହୋଇଛି। ଏଥିପାଇଁ ଶୁକ୍ରବାର ଦିନ ମସଜିଦ୍‌ ବନ୍ଦ ମଧ୍ୟ ରହେ।

ଅନେକ ଥର ବିଜେପି ନେତାମାନେ ତାଜ୍‌ମହଲ୍‌କୁ ଶିବ ମନ୍ଦିର ବୋଲି ଦାବି କରିଛନ୍ତି। କିଛି ଲୋକ ଏହାକୁ ତେଜୋମହାଳୟ ବୋଲି ମଧ୍ୟ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଗତବର୍ଷ ଅଖିଳ ଭାରତୀୟ ଇତିହାସ ସଙ୍କଳନ ସମିତି (ABISS) ତାଜ୍‌ମହଲରେ ନମାଜ ପଢ଼ା ଉପରେ ରୋକ ଲଗାଇବା ପାଇଁ ଆବେଦନ କରିଥିଲା।