ତିଆରି ହେଲା ଦେଶର ସବୁଠାରୁ ଶକ୍ତିଶାଳୀ ରେଳ ଇଞ୍ଜିନ,୧୨୦ କି.ମି. ବେଗରେ ଦୌଡ଼ିବ

ନୂଆଦିଲ୍ଲୀ: ଦେଶର ସବୁଠାରୁ ଶକ୍ତିଶାଳୀ ହାଇସ୍ପିଡ୍ ଇଲେକଟ୍ରିକ୍ ରେଳ ଇଞ୍ଜିନ ତିଆରି ହୋଇଛି। ଏହାର କ୍ଷମତା ୧୨,୦୦୦ ହର୍ସ ପାୱାର ରହିଛି। ହାଇସ୍ପିଡ୍ ଇଞ୍ଜିନ ତିଆରି କ୍ଲବରେ ଥିବା ଋଷ, ଚୀନ, ଜର୍ମାନୀ ଓ ସ୍ୱିଡ଼େନ ସହ ଏବେ ଭାରତ ସାମିଲ ହୋଇଛି। ବିହାରର ମେଧପୁରା ଲୋକୋମୋଟିଭ କମ୍ପାନୀରେ ଏହି ରେଳ ଇଞ୍ଜିନ ତିଆରି କରାଯାଇଛି। ପୂର୍ବରୁ ଭାରତୀୟ ରେଲୱେ ପାଖରେ ୬୦୦୦ ଏଚପିର  ଶକ୍ତିଶାଳୀ ରେଳ ଇଞ୍ଜିନ ଥିଲା। ବିହାର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାର ଉଦ୍‌ଘାଟନ କରିବେ।

ଘଣ୍ଟାକୁ ୧୨୦ କିମି ବେଗରେ ଦୌଡ଼ିବ: ଏହି ରେଳ ଇଞ୍ଜିନରେ ଏବିବି ଟ୍ରାନ୍ସଫାର୍ମର ଲଗାଯାଇଛି। ଏହା ଘଣ୍ଟାପ୍ରତି ୧୨୦ କିମି ବେଗରେ ଗତି କରିବ। ଏହାର ଗତି ସମ୍ଭାଳିବାକୁ ଟ୍ରେନ୍‌ରେ କ୍ନୋର-ବ୍ରେମ୍ସ ସିଷ୍ଟମ ଲଗାଯାଇଛି। ଏହି ଇଞ୍ଜିନ ମାଲଗାଡ଼ିରେ ବ୍ୟବହାର କରାଗଲେ ଟ୍ରାଫଇସ ସମସ୍ୟା ବହୁମାତ୍ରାରେ ସମାଧାନ ହୋଇପାରିବ ବୋଲି ରେଳବିଭାଗ ପକ୍ଷରୁ କୁହାଯାଇଛି। ଏହାସହ ଏହି ଇଞ୍ଜିନ ବର୍ତ୍ତମାନର ମାଲଗାଡି ଗୁଡିକ ତୁଳନାରେ ଦୁଇଗୁଣା ଅଧିକ ମାଲ ପରିବହନ କରିବାର କ୍ଷମତା ରଖେ। ରେଲୱେର ଜଣେ ଅଫିସରଙ୍କ କହିବା ଅନୁସାରେ,ଏହି ଇଞ୍ଜିନ ସାହାଯ୍ୟରେ ୯୦୦୦ ଟନ୍‌ ପର୍ଯ୍ୟନ୍ତ ସାମଗ୍ରୀ ପରିବହନ କରାଯାଇପାରିବ। ବିଶେଷ କରି କୋଇଲା ଓ ଭାରି ସାମଗ୍ରୀ ପରିବହନରେ ଏହା ବହୁ ସହାୟକ ହେବ।