ନାସାର ନୂଆ ୱେବସାଇଟ୍; ଲୋକେ ଦେଖିପାରିବେ କେମିତି ବୁଲୁଛି ପୃଥିବୀ

nasaୱାଶିଂଟନ: କେମିତି ବୁଲୁଛି ପୃଥିବୀ। ଏ ଦୃଶ୍ୟକୁ ଏବେ ଦେଖିପାରିବେ ସାଧାରଣ ଲୋକ। ଏନେଇ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଏକ ୱେବସାଇଟ୍ ଲଞ୍ଚ କରିଛି। ନାସାର ଏପିକ୍ କ୍ୟାମେରା ମହାକାଶରୁ ନେଉଥିବା ପୃଥିବୀର ଫଟୋକୁ କ୍ରମ ଅନୁସାରେ ଯୋଡ଼ି ଘୂର୍ଣ୍ଣାୟମାନ ପୃଥିବୀକୁ ଦେଖାଇବା ଲାଗି ଉଦ୍ୟମ କରାଯାଇଛି ଏହି ୱେବସାଇଡରେ। ବିଶାଳ ଓ ସୀମାହୀନ ମହାକାଶ ସଂପର୍କରେ ସାଧାରଣ ଲୋକଙ୍କୁ ଜଣାଇବା ପାଇଁ ନାସାର ଏହା ଏକ ନୂଆ ଉଦ୍ୟମ। ପୃଥିବୀର ଆବର୍ତ୍ତନ ସଂପର୍କରେ ସାଧାରଣ ଲୋକେ ତ ଜାଣନ୍ତି। ତେବେ ଏହା କେମିତି ବୁଲୁଛି, ତାକୁ ଦେଖାଇବା ଲାଗି ଉଦ୍ୟମ କରିଛି ନାସା। ଆମେରିକାର ମହାକାଶଯାନ ଡିପ୍ ସ୍ପେଶ୍ କ୍ଲାଇମେଟ୍ ଅବର୍ଜଭେଟୋରୀ ଏଥିରେ ଥିବା ଅର୍ଥ ପଲିକ୍ରୋମାଟିକ୍ ଇମେଜିଂ କ୍ୟାମେରା (ଏପିକ୍) ଜରିଆରେ ସୂର୍ଯ୍ୟଆଡ଼କୁ ରହୁଥିବା ପୃଥିବୀ ପାଶ୍ୱର ଦୈନିକ ଫଟୋ ଉତ୍ତୋଳନ କରିଥାଏ। ଏପିକ୍ ଉଠାଉଥିବା ଏଭଳି ୧୨ଟି ରଙ୍ଗୀନ ଫଟୋକୁ ନାସା ପ୍ରତିଦିନ ୱେବସାଇଟରେ ପ୍ରଦର୍ଶିତ କରିବ। ଫଟୋଗୁଡିକୁ କ୍ରମାନୁସାରେ ଯୋଡିଲେ ଏହା ପୃଥିବୀର ପୂର୍ଣ୍ଣ ଆବର୍ତ୍ତନକୁ ଦେଖାଇବ। ମହାକାଶରେ ପୃଥିବୀ ଅତ୍ୟନ୍ତ ଉଜ୍ଜ୍ୱଳ ଦେଖା ଯାଉଥିବାରୁ ଏପିକ୍ ଖୁବ୍ କମ୍ ସମୟରେ ଏକ୍ସପୋଜ୍ ହେଉଥିବା ଚିତ୍ର ଉତ୍ତୋଳନ କରିଥାଏ। ଫଳରେ ପୃଥିବୀର ପ୍ରଚ୍ଛଦପଟ୍ଟରେ ରହିଥିବା ଅନ୍ୟ ମହାଜାଗତିକ ବସ୍ତୁ ଏହି ଫଟୋରେ ଦୃଶ୍ୟମାନ ହୁଏ ନାହିଁ।