ନ୍ୟାସନାଲ୍ ହେରାଲ୍ଡ ମାମଲା: ସୋନିଆ ଓ ରାହୁଲଙ୍କ ପାଇଁ ଲଢ଼ିବାକୁ ଜେଠମଲାନୀ ଆଗ୍ରହୀ

ନୂଆଦିଲ୍ଲୀ: ନ୍ୟାସନାଲ୍ ହେରାଲ୍ଡ ଖବରକାଗଜ ଘଟଣାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ଉପ-ସଭାପତି ରାହୁଲ ଗାନ୍ଧିଙ୍କ ପାଇଁ ମାମଲା ଲଢ଼ିବାକୁ ଚାହୁଁଛନ୍ତି ବିଜେପିର ପୂର୍ବତନ ନେତା ତଥା ବରିଷ୍ଡ ଆଡଭୋକେଟ୍ ରାମ ଜେଠମଲାନୀ। ବର୍ତ୍ତମାନ ବନ୍ଦ ହୋଇଯାଇଥିବା ନ୍ୟାସନାଲ୍ ହେରାଲ୍ଡ ଖବରକାଗଜର ଅଂଶଧନ ବିକ୍ରିରେ ଅନିୟମିତତା କରାଯାଇଥିବା ନେଇ ମାମଲା ରୁଜୁ କରିଛନ୍ତି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ। ସେ ସୋନିଆ ଓ ରାହୁଲଙ୍କ ନାଁରେ ମାମଲା ରୁଜୁ କରିଛନ୍ତି।

ମାମଲା ଲଢ଼ିବାକୁ ଇଚ୍ଛୁକ ଥିବା ରାମ ଜେଠମଲାନୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଛନ୍ତି। ସେ ଏ ଚିଠି ଡିସେମ୍ବର ୧୧ ତାରିଖରେ ଲେଖିଥିଲେ। ଏଥିରେ ସେ ଲେଖିଥିଲେ,‘ ମୁଁ ଜାଣିଛି ଆପଣଙ୍କ ଦଳରେ ବଡ଼ ବଡ଼ ଆଇନଜୀବୀ ଅଛନ୍ତି। ତଥାପି ମୋ ସେବା ଆପଣଙ୍କ ପାଇଁ ଉପଲବ୍ଧ ରହିଛି। ଆପଣ ଆଗ୍ରହ ପ୍ରକାଶ କଲେ ମୁଁ ନ୍ୟାସନାଲ୍ ହେରଲ୍ଡ ମାମଲା ଲଢ଼ିବି।’