ନ୍ୟାସନାଲ୍ ହେରାଲ୍ଡ ମାମଲା: ସୋନିଆ ଓ ରାହୁଲଙ୍କୁ ଶକ୍ତ ଧକ୍କା

ନୂଆଦିଲ୍ଲୀ: ନ୍ୟାସନାଲ୍ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଶକ୍ତ ଧକ୍କା ଲାଗିଛି। ବ୍ୟକ୍ତିଗତ ହାଜର ହେବା ଲାଗି ଟ୍ରାଏଲ କୋର୍ଟଙ୍କ ସମନକୁ ଚ୍ୟାଲେଞ୍ଜ କରି ସୋନିଆ କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଉଭୟଙ୍କୁ ଟ୍ରାଏଲ କୋର୍ଟରେ ହାଜର ହେବା ଲାଗି ହାଇକୋର୍ଟ କହିଛନ୍ତି। ତେବେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି ସୋନିଆଙ୍କ ପକ୍ଷରୁ ଲଢୁଥିବା ଅଭିଶେଖ ମନୁ ସିଙ୍ଘଭି କହିଛନ୍ତି। ଏହି ମାମଲାରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ କରିଥିବା ଆବେଦନର ଶୁଣାଣି କରି ଟ୍ରାଏଲ କୋର୍ଟ ସୋନିଆ ଓ ରାହୁଲଙ୍କୁ ସମନ ପଠାଇ ହାଜର ହେବା ଲାଗି ନିର୍ଦ୍ଦେଶ ଦେଇଥିଲେ।

ସୁବ୍ରମଣ୍ୟମ ସ୍ୱାମୀଙ୍କ ଅଭିଯୋଗ ଅନୁସାରେ କଂଗ୍ରେସ, ନ୍ୟାସନାଲ ହେରାଲ୍ଡ ପ୍ରକାଶନ କରୁଥିବା ଆସୋସିଏଟେଡ୍ ଜର୍ଣ୍ଣାଲକୁ ବିନା ସୁଧରେ ୯୦କୋଟି ୨୫ଲକ୍ଷ ଟଙ୍କା ଋଣ ଦେଇଥିଲା। ତେବେ ପରେ ୟଙ୍ଗ ଇଣ୍ଡିଆ ଲିମିଟେଡ୍, ଆସୋସିଏଟେଡ୍ ଜର୍ଣ୍ଣାଲକୁ ମାତ୍ର ୫୦ଲକ୍ଷ ଟଙ୍କାରେ କିଣିଥିଲା। ୟଙ୍ଗ ଇଣ୍ଡିଆରେ ସୋନିଆ ଓ ରାହୁଲଙ୍କ ୩୮ ପ୍ରତିଶତ ଅଂଶଧନ ଥିବାରୁ ଏମାନଙ୍କୁ ଲାଭ ପହଞ୍ଚାଇବା ଲକ୍ଷ୍ୟରେ ଚଞ୍ଚକତା କରି ଏହି ଡିଲ୍ କରାଯାଇଥିବା ସ୍ୱାମୀ ଦର୍ଶାଇଥିଲେ।