ନ୍ୟାସନାଲ୍ ହେରାଲ୍ଡ ମାମଲା: ସୋନିଆ ଓ ରାହୁଲଙ୍କୁ ଜାମିନ୍

ନୂଆଦିଲ୍ଲୀ: ନ୍ୟାସନାଲ୍ ହେରାଲ୍ଡ ଦୁର୍ନୀତି ମାମଲାରେ ଆଜି ଦିଲ୍ଲୀର ପାଟିଆଲା କୋର୍ଟ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ଉପ-ସଭାପତି ରାହୁଲ ଗାନ୍ଧିଙ୍କୁ ଜାମିନ୍ ମଞ୍ଜୁର କରିଛନ୍ତି। ଉଭୟଙ୍କୁ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ଜାମିନ ମଂଜୁର କରିଛନ୍ତି। ସୋନିଆ ଗାନ୍ଧିଙ୍କୁ ବରିଷ୍ଠ କଂଗ୍ରେସ ନେତା ଏ.କେ ଆଣ୍ଟୋନି ଜାମିନରେ ନେଇଥିବା ବେଳେ ରାହୁଲଙ୍କୁ ତାଙ୍କ ଭଉଣୀ ପ୍ରିୟଙ୍କା ଜାମିନରେ ନେଇଛନ୍ତି। ସୋନିଆ ଓ ରାହୁଲଙ୍କ ପକ୍ଷରୁ ମାମଲା ଲଢ଼ୁଥିବା କପିଲ ଶିବଲ କହିଛନ୍ତି ଯେ କୋର୍ଟ ନିଃସର୍ତ୍ତରେ ତାଙ୍କର ମହକିଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଶୁଣାଣି ବେଳେ ଉଭୟ ସୋନିଆ ଓ ରାହୁଲ କୋର୍ଟରେ ଉପସ୍ଥିତ ଥିଲେ। ବହୁ କଂଗ୍ରେସ ନେତା ମଧ୍ୟ କୋର୍ଟରେ ଉପସ୍ଥିତ ଥିଲେ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବୃଆରୀ ୨୦ ତାରିଖରେ କରାଯିବ ବୋଲି କୋର୍ଟ କହିଛନ୍ତି।

ଅନ୍ୟପକ୍ଷରେ ନ୍ୟାସନାଲ୍ ହେରାଲ୍ଡ ମାମଲାରେ ସୋନିଆ ଓ ରାହୁଲଙ୍କୁ ଅଭିଯୁକ୍ତ କରାଯିବା ପ୍ରସଙ୍ଗକୁ ପ୍ରତିବାଦ କରି ଆଜି କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ଘଟଣାକୁ କଂଗ୍ରେସ ରାଜନୈତିକ ଆକ୍ରୋଶ ବୋଲି ଚିତ୍ରଣ କରିଆସିଛି।

ଏହି ଘଟଣା ନେଇ କଂଗ୍ରେସ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରୁଥିବା ବେଳେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ନ୍ୟାସନାଲ୍ ହେରାଲ୍ଡ ମାମଲା ସହିତ ତାଙ୍କ ଦଳର ଅବା ଆରଏସଏସର କୌଣସି ସମ୍ପର୍କ ନାହିଁ।

ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ନ୍ୟାସନାଲ୍ ହେରାଲ୍ଡ ଦୁର୍ନୀତି ମାମଲାକୁ ଲୋକଲୋଚନକୁ ଆଣିଥିଲେ।