ନୀତି ଆୟୋଗ ବୈଠକକୁ ଗଲେନି ନବୀନ: କ’ଣ କହିଲେ ବିରୋଧୀ ପଢନ୍ତୁ

ନୂଆଦିଲ୍ଲୀ/ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଦେଶର ଆର୍ଥିକ ଅଭିବୃଦ୍ଧି ହାର ଦୁଇ ଅଙ୍କରେ ପହଞ୍ଚିବା ସରକାରଙ୍କ ଆଗରେ ମୁଖ୍ୟ ଆହ୍ୱାନ।  ଏ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ  ପଡ଼ିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ନୀତି ଆୟୋଗର ଚତୁର୍ଥ ଗଭର୍ଣ୍ଣିଂ କାଉନସିଲ୍ ବୈଠକରେ ଅଧ୍ୟକ୍ଷତା କରି ମୋଦି ଏକଥା କହିଛନ୍ତି । ବୈଠକରେ ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇ ସେମାନଙ୍କ ଦାବି ଉପସ୍ଥାପନ କରିଥିବା ବେଳେ ନବୀନ ଅନୁପସ୍ଥିତ ରହିବାକୁ ସମାଲୋଚନା କରିଛନ୍ତି ବିରୋଧୀ କଂଗ୍ରେସ୍ ଓ ବିଜେପି । ତେବେ ରାଜ୍ୟ ଲିଖିତ ଭାବେ ନିଜ ଦାବି ଉପସ୍ଥାପନ କରିଛି। ରାଷ୍ଟ୍ରପତି ଭବନରେ ନୀତି ଆୟୋଗର ଚତୁର୍ଥ ଗଭର୍ଣ୍ଣିଂ କାଉନସିଲ୍ ବୈଠକରେ  ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିଥିବା ବେଳେ ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ।  ଦେଶର ଆର୍ଥିକ ଅଭିବୃଦ୍ଧି ହାର ଦୁଇ ଅଙ୍କରେ ପହଞ୍ଚାଇବା ଏବେ ବଡ଼ ଚ୍ୟାଲେଞ୍ଜ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥିପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି।

ଚାଷୀଙ୍କ ଆୟ ଦୁଇଗୁଣା କରିବା, ଆୟୁଷ୍ମାନ ଭାରତ, ଆକାଂକ୍ଷା ଜିଲ୍ଲାମାନଙ୍କର ବିକାଶ, ପୋଷଣ ମିଶନ, ମିଶନ୍ ଇନ୍ଦ୍ରଧନୁଷ ଓ ମହାତ୍ମାଗାନ୍ଧିଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ସଂପର୍କରେ ଏଥିରେ ଆଲୋଚନା ହୋଇଛି। ୨ ହଜାର ୨୨ ସୁଦ୍ଧା ନ୍ୟୁ ଇଣ୍ଡିଆର ସ୍ୱପ୍ନ ପୂରଣ ପାଇଁ ଏସବୁ ଦିଗରେ  କାର୍ଯ୍ୟ କରାଯିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସଂଘୀୟ ବ୍ୟବସ୍ଥାକୁ  ଶକ୍ତିଶାଳୀ କରିବା ଲାଗି ଜଟିଳ ପ୍ରସଙ୍ଗଗୁଡ଼ିକ ସମାଧାନ ଲାଗି ପରିଷଦ, ଟିମ୍ ଇଣ୍ଡିଆ ସ୍ପିରିଟ୍‌ରେ କାମ କରୁଥିବା ସେ କହିଛନ୍ତି । ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ସେମାନଙ୍କ ମତାମତ ଦେଇଥିଲେ। ହେଲେ ଅନୁପସ୍ଥିତ ଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ତେବେ ଓଡ଼ିଶା ପୂର୍ବରୁ ଲିଖିତ ଭାବେ ନିଜ ଆଭିମୁଖ୍ୟ ଜଣାଇଥିଲା।

ସେହିପରି ମମତା ବାନାର୍ଜୀ, ଚନ୍ଦ୍ରବାବୁ ନାଇଡୁ, ଏଚ୍.ଡି. କୁମାରସ୍ୱାମୀଙ୍କ ଭଳି ଅଣ ବିଜେପି ମୁଖ୍ୟମନ୍ତ୍ରୀମାନେ ନୀତି ଆୟୋଗ ବୈଠକରେ ଯୋଗ ଦେଇଥିଲେ ବି ନବୀନଙ୍କ ଅନୁପସ୍ଥିତି ନେଇ ନାନା ପ୍ରଶ୍ନ ଉଠିଛି।  ପୂର୍ବ ନିର୍ଦ୍ଧାରିତ କୌଣସି ବିଶେଷ କାର୍ଯ୍ୟକ୍ରମ ନଥିବା ସତ୍ୱେ ନବୀନ ଦିଲ୍ଲୀ ନଯିବା ଦ୍ୱାରା

ରାଜ୍ୟର ଦାବି ଗୌଣ ହୋଇଯିବନି ତ? ଓଡ଼ିଶା ନିଜର ଦାବି ଉପସ୍ଥାପନ ପାଇଁ ଏକ ବଡ଼ ପ୍ଳାଟଫର୍ମ ହରାଇଲା ନାହିଁ ତ? ତାକୁ ନେଇ ଚର୍ଚ୍ଚା ହେଉଛି।  କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି କହିଛନ୍ତି ସାମ୍ବିଧାନିକ ଦାୟିତ୍ୱ ଭୁଲି ଦଳୀୟ ଦାୟିତ୍ୱ ପ୍ରତି ନବୀନ ଅଧିକ ଧ୍ୟାନ ଦେଉଛନ୍ତି।  ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ।  ସେପଟେ ମୁଖ୍ୟମନ୍ତ୍ରୀ ଯଦି ନୀତି  ଆୟୋଗ ବୈଠକକୁ ନଯିବେ, ତେବେ କେଉଁ ଫୋରମ୍‌ରେ ରାଜ୍ୟ କଥା ଉଠାଇବେ ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ।