ପୋଲିସ୍ ବାବୁଙ୍କ ଉପରେ ବନ୍ଦୀ ବିଧାୟକଙ୍କ ଦାଦାଗିରି: କହିଲେ, ‘ତୁମେ ଜାଣିନ ମୁଁ କିଏ?’

ନୂଆଦିଲ୍ଲୀ: ପୋଲିସ୍‌ ବାବୁଙ୍କ ଉପରେ ନେତାଙ୍କ ଦାଦାଗିରି। ପୁଣି ଜେଲ୍‌ରେ ଥାଇ। ଘଟଣାଟି ଘଟିଛି ମୁମ୍ବାଇର ବାଇକୁଲା ଜେଲ୍‌ରେ। ପୂରା ଘଟଣା କ୍ୟାମେରାରେ କଏଦ ହୋଇଛି।

ଘଟଣାଟି ହେଉଛି ଏହିପରି। ୩୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ଗିରଫ ହୋଇ ଏହି ଜେଲରେ ଅଛନ୍ତି ଏନ୍‌ସିପି ବିଧାୟକ ରମେଶ କଦମ। ୧୯ ମାସ ହେଲା ସେ ଜେଲ୍‌ରେ ଅଛନ୍ତି। ଗତ ଗୁରୁବାର ତାଙ୍କୁ ଡାକ୍ତରଖାନା ନିଆଯାଉଥିଲା ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ। ଡାକ୍ତରଖାନା ଯିବା ପାଇଁ ତାଙ୍କୁ ଜେଲ୍‌ ବାହାରକୁ ଅଣାଯାଇଥିଲା। ତେବେ ସେ ଜେଲ୍‌ ବାହାରକୁ ଆସିବା ପରେ ଦେଖିଲେ ତାଙ୍କୁ ନେବା ପାଇଁ ସେଠାରେ କୌଣସି ଗାଡ଼ି ନାହିଁ। ଯେଉଁ ଭ୍ୟାନ୍‌ଟି ତାଙ୍କୁ ଡାକ୍ତରଖାନା ନେଇ ଯିବାର ଥିଲା ତାହା ଟିକେ ବିଳମ୍ବରେ ଆସିଲା। ତେବେ ସେହି ସମୟ ମଧ୍ୟରେ ଏହି ବିଧାୟକ ଜଣଙ୍କ ଉପସ୍ଥିତ ଜଣେ ପୋଲିସ୍ ଅଧିକାରୀଙ୍କ ଉପରେ ଭାରି ଗରମ ଦେଖାଇଥିଲେ। ତାଙ୍କୁ ଅପେକ୍ଷା କରାଇ ଥିବାରୁ ସେ ଉକ୍ତ ପୋଲିସ୍ ଅଧିକାରୀଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ଓ କହିଥିଲେ,“ତୁମେ ଜାଣିନ ମୁଁ କି?’। ଥରେ ନୁହେଁ ସେ ବାରମ୍ବାର ଏକଥା କହିଥିଲେ। କେବଳ ଏତିକି ନୁହେଁ, ତାଙ୍କୁ ଦୁର୍ନୀତି ମାମଲାରେ ଫସେଇ ଦେବେ ବୋଲି ବି ଧମକ ଦେଇଥିଲେ।  ପୋଲିସ୍ ଅଧିକାରୀଙ୍କୁ ସେ ଏଭଳି ଦୁର୍ବ୍ୟବହାର କରୁଥିବା ବେଳେ ଜଣେ ଏହାକୁ କ୍ୟାମେରାରେ କଏଦ କରୁଥିଲେ। ଏହା ଜାଣି ସୁଦ୍ଧା ସେ ତାଙ୍କ ବ୍ୟବହାର ବଦଳାଇ ନ ଥିଲେ। ଓଲଟି ଉକ୍ତ ବ୍ୟକ୍ତିଙ୍କୁ ଧମକ ଦେଇଥିଲେ।

ରିପୋର୍ଟ ଓ ଫଟୋ-ଏନ୍‌ଡିଟିଭି