ବିଜେପିର ହାତ ଛାଡ଼ିଲା ଆଉ ଜଣେ ସହଯୋଗୀ ଦଳ

ନୂଆଦିଲ୍ଲୀ: ଆସାମରେ କ୍ଷମତାସୀନ ବିଜେପି ସହ ମିଶି ସରକାର ଗଠନ କରିଥିବା ଆଞ୍ଚଳିକ ଦଳ ଅସୋମ ଗଣ ପରିଷଦ(ଏଜିପି) ଆଜି ମେଣ୍ଟରୁ ଓହରି ଯାଇଛି। ନାଗରିକତ୍ୱ ସଂଶୋଧିତ ବିଲ୍‌ ୨୦୧୬କୁ କେନ୍ଦ୍ର ସରକାର ଲାଗୁ କରିବାକୁ ଚାହୁଁଥିବାରୁ ଏହାକୁ ବିରୋଧ କରି ଏଜିପି ଏଭଳି ପଦକ୍ଷେପ ନେଇଛି।

ତେବେ ଏଜିପିର ଏଭଳି ବିଜେପିକୁ ବାଏବାଏ କହିବା ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ସରକାରଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। କାରଣ ଆସାମର ୧୨୬ଟି ବିଧାନସଭା ଆସନରୁ ବିଜେପି ୬୧ଟିରେ ଜିତିଥିବା ବେଳେ ଏଜିପି ୧୪ଟି ଜିତିଥିଲା। ସେହିପରି ବୋଡୋ ପିପୁଲ୍ସ ଫଣ୍ଟ ୧୨ଟି ଆସନ ଜିତି ବିଜେପି ମିଶି ସରକାର ଗଠନ କରିଥିଲେ।

ଏଜିପି ସଭାପତି ଅତୁଲ ବୋରା କହିଛନ୍ତି, “ ଆମର ବିରୋଧ ସତ୍ତ୍ୱେ କେନ୍ଦ୍ର ସରକାର ବାହାର ଦେଶର ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ କରିବା ପାଇଁ ବିଲ୍‌ ଆଣୁଛନ୍ତି।

ଆସନ୍ତାକାଲି ଏହା ଲୋକସଭାରେ ଆଗତ ହେବ। ଆମେ ବିଲ୍‌ର ଖରାପ ପ୍ରଭାବ କ’ଣ ସେନେଇ ବିଜେପିକୁ ବୁଝାଇଥିଲୁ। କିନ୍ତୁ ସେମାନେ ଆମ କଥା ଶୁଣିଲେ ନାହିଁ। ତେଣୁ ଆମର ସରକାରରୁ ଓହରିଯିବା ବ୍ୟତୀତ ଆଉ କୌଣସି ଉପାୟ ନଥିଲା। ଆମେ ବିଜେପି ସହ ନିର୍ବାଚନ ପୂର୍ବରୁ ମେଣ୍ଟ କରିଥିଲୁ। ଏବେ ବିଜେପି ଠାରୁ ଆମେ ଅଲଗା ହେଉଛୁ। ଲୋକେ ଏହାର ବିଚାର କରିବେ।”

ନାଗରିକତ୍ୱ ବିଲ୍‌ ଅନୁଯାୟୀ, ଆଫ୍‌ଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରେ ଧର୍ମଭିତ୍ତିକ ଅତ୍ୟାଚାର ଯୋଗୁ ଭାରତରେ ଆଶ୍ରୟ ନେଇଥିବା ସେସବୁ ରାଷ୍ଟ୍ରରସଂଖ୍ୟାଲଘୁ ସଂପ୍ରଦାୟ(ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ପାର୍ସି ଓ ଖ୍ରୀଷ୍ଟିୟାନ)ଙ୍କୁ ସ୍ଥାୟୀ ନାଗରିକତ୍ୱ ପ୍ରଦାନ କରାଯିବ। ଏମାନେ ଭାରତରେ ୬ ବର୍ଷରୁ ଅଧିକ ସମୟ ରହିଥିଲେ ଏଭଳି ନାଗରିକତ୍ୱ ମାନ୍ୟତା ପାଇପାରିବେ।