ପ୍ରଣୟ ଦେ ନେଷ୍ଟ-୨୦୧୯ ଟପ୍ପର, ଓଡ଼ିଶାରୁ କାହ୍ନା ଜୈନ୍‌

ନୂଆଦିଲ୍ଲୀ: ନାଇଜର ପରିଚାଳିତ ପ୍ରବେଶିକା ପରୀକ୍ଷା ନେଷ୍ଟ-୨୦୧୯ର ଫଳାଫଳ ପ୍ରକାଶ ପାଇଛି। ଏଥିରେ ସର୍ବଭାରତୀୟ ସ୍ତରରେ ପ୍ରଣବ ଦେ ଶୀର୍ଷ ସ୍ଥାନ ଦଖଲ କରିଥିଲାବେଳେ ଓଡ଼ିଶାରୁ କାହ୍ନା ଜୈନ୍‌ ଟପ୍ପର ହୋଇଛନ୍ତି। ଶୀର୍ଷ ୧୦୦ ମେରିଟ୍‌ ଲିଷ୍ଟରେ ଓଡ଼ିଶାରୁ ୨୨ ଜଣ ଅଛନ୍ତି। ଏହି ଫଳାଫଳ ଅଫିସିଆଲ ୱେବ୍‌ସାଇଟ୍‌ www.nestexam.inରେ ପ୍ରକାଶ ପାଇଛି।

ଚଳିତ ବର୍ଷ ଜୁନ୍‌ ୧ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସାରା ଦେଶରେ ୮୪ଟି ସହରର ୧୨୫ଟି ସ୍ଥାନରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପ୍ରତିବର୍ଷ ଭଳି ଓଡ଼ିଶାରୁ ସବୁଠାରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ଓଡ଼ିଶା ପରେ କେରଳରୁ ଦ୍ୱିତୀୟ ସର୍ବାଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବାକୁ ଆବେଦନ କରିଥିଲେ।

ସର୍ବଭାରତୀୟ ସ୍ତରରେ ମୋଟ ୧୭୭୯ ଜଣ ଏଥିରେ କୃତକାର୍ଯ୍ୟ ହୋଇଛନ୍ତି। ଚଳିତ ବର୍ଷର ନାଇଜର ଆଡମିଶନ୍‌ ତାରିଖ ନେଷ୍ଟ ୱେବସାଇଟ୍‌ରେ ଉପଲବ୍ଧ ହେବ। ୨୦୧୯-୨୦ ଏକାଡେମିକ୍‌ ସେସନ୍‌ ପାଇଁ ୨୩ ଜୁଲାଇରୁ ପଞ୍ଜିକରଣ ହେବ ଏବଂ ୨୬ ଜୁଲାଇରୁ କ୍ଲାସ୍‌ ଆରମ୍ଭ ହେବ। ଏହା ନାଇଜର, ଭୁବନେଶ୍ୱର ଏବଂ ସେଣ୍ଟର ଅଫ୍‌ ଏକ୍ସଲେନ୍ସ ଇନ୍‌ ବେସିକ୍‌ ସାଇନ୍ସ ଦ୍ୱାରା ମିଳିତ ଭାବରେ ଆୟୋଜନ କରାଯାଇଥିଲା।