ଆସନ୍ତାକାଲି ନେତାଜୀ ଜୟନ୍ତୀ: ସାର୍ବଜନୀନ ହେବ ତାଙ୍କ ସଂପର୍କିତ ସମସ୍ତ ଗୁପ୍ତ ଫାଇଲ୍

ନୂଆଦିଲ୍ଲୀ: ଆସନ୍ତାକାଲି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମବାର୍ଷିକ। ଏହି ଅବସରରେ ତାଙ୍କ ସମ୍ପର୍କିତ ସମସ୍ତ ଗୁପ୍ତ ଫାଇଲ ସାର୍ବଜନୀନ କରିବେ କେନ୍ଦ୍ର ସରକାର। ଫାଇଲ ସାର୍ବଜନୀନ ହେବା ପରେ ନେତାଜୀଙ୍କ ମୃତ୍ୟୁ ରହସ୍ୟର ଗୁମର ଫିଟିବା ନେଇ ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉନ୍ମୋଚନ କରିବେ ବୋଲି କହିଛନ୍ତି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା। ଏହି ସମୟରେ ନେତାଜୀଙ୍କ ପରିବାର ଲୋକେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ଗତବର୍ଷ ଅକ୍ଟୋବର ୧୪ରେ ନେତାଜୀଙ୍କ ପରିବାରର ୩୫ ଜଣ ସଦସ୍ୟ ମୋଦିଙ୍କୁ ସରକାରୀ ବାସଭବନରେ ଭେଟି ଏନେଇ ପ୍ରସ୍ତାବ ରଖିଥିଲେ। ଗତବର୍ଷ ନେତାଜୀଙ୍କ ସଂପର୍କିତ ୬୪ଟି ଫାଇଲକୁ ସାର୍ବଜନୀନ କରିଥିଲେ ପଶ୍ଚିମବଙ୍ଗ ସରକାର। ଏଥିରୁ ନେତାଜୀଙ୍କ ରହସ୍ୟଜନକ ଅନ୍ତର୍ଦ୍ଧାନ ସଂପର୍କରେ ଅନେକ ଗୁପ୍ତ ତଥ୍ୟ ସାମନାକୁ ଆସିଥିଲା।