ନେତାଜୀଙ୍କ ସହଯୋଗୀ ନିଜାମୁଦ୍ଦିନ ଭାରତର ସ୍ୱାଧୀନତା ସଂଗ୍ରାମକୁ ଶକ୍ତି ଦେଇଥିଲେ

ନୂଆଦିଲ୍ଲୀ: ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଡ୍ରାଇଭର କର୍ଣ୍ଣେଲ୍ ନିଜାମୁଦ୍ଦିନ ଭାରତର ସ୍ୱାଧୀନତା ସଂଗ୍ରାମକୁ ଶକ୍ତି ଯୋଗାଇ ଥିଲେ ବୋଲି ଆଜି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୂଚନାଯୋଗ୍ୟ, ଗତକାଲି ନିଜାମୁଦ୍ଦିନଙ୍କ ନିଧନ ହୋଇଯାଇଛି।

ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ପରଲୋକ ଏକ ଦୁଃଖଦ ଘଟଣା।

ମୋଦି ଟ୍ୱିଟ୍ କରି କହିଛନ୍ତି,“ନେତାଜୀଙ୍କ ଘନିଷ୍ଠ ସହଯୋଗୀ କର୍ଣ୍ଣେଲ୍ ନିଜାମୁଦ୍ଦିନଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି। ମୁଁ ତାଙ୍କୁ ଭେଟିଥିଲି। ତାଙ୍କ ମୃତ୍ୟୁରେ ମୁଁ ଦୁଃଖିତ।”

ସେ ଆହୁରି କହିଛନ୍ତି,“ଆମେ ସବୁବେଳେ ନିଜାମୁଦ୍ଦିନଙ୍କ ଆଦର୍ଶ, ସାହାସ ଓ ଦେଶଭକ୍ତିକୁ ମନେ ପକାଇବା ଯାହା ଆମ ଦେଶର ସ୍ୱାଧୀନତା ସଂଗ୍ରାମକୁ ଶକ୍ତି ଯୋଗାଇ ଥିଲା।”

ଗତକାଲି ଉତ୍ତର ପ୍ରଦେଶର ଆଜମଗଡ଼ର ଧାକ୍ୱା ଗାଁରେ ନିଜାମୁଦ୍ଦିନଙ୍କ ପରଲୋକ ହୋଇଥିଲା। ସେ ୧୯୪୩ ରୁ ୧୯୪୫ ପର୍ଯ୍ୟନ୍ତ ନେତାଜୀଙ୍କ ଇଣ୍ଡିଆନ୍ ନ୍ୟାସ୍‌ନାଲ୍ ଆର୍ମିରେ ଥିଲେ। ସେ ୧୯୦୧ରେ ଜନ୍ମ ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୧୧୬ ବର୍ଷ ହୋଇଥିଲା।