ଆଶ୍ଚର୍ଯ୍ୟ! ମୃତ ଘୋଷିତ ଶିଶୁ ଶେଷକୃତ୍ୟ ବେଳେ ଜୀଇଁ ଉଠିଲା, କେମିତି ଜାଣନ୍ତି?

ନୂଆଦିଲ୍ଲୀ: ଦିଲ୍ଲୀର ସଫଦରଗଞ୍ଜ ଡାକ୍ତରଖାନାରେ ସୋମବାର ସକାଳେ ଏକ ଶିଶୁ ଜନ୍ମ ହୋଇଥିଲା। ଜନ୍ମ ହେବା ପରେ ଛୁଆଟି ଆଦୌ ହଲଚଲ ହେଲା ନାହିଁ। ଏହା ପରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରି ଦେଲେ। ଶିଶୁଟିକୁ ନେଇ ତା’ ବାପାମା’ ଘରକୁ ଫେରି ଆସିଲେ।  ପରିବାର ଲୋକେ ଅନ୍ତିମ ସଂସ୍କାର ପାଇଁ ବ୍ୟବସ୍ଥା ଆରମ୍ଭ କଲେ। କିନ୍ତୁ ହଠାତ୍ ପିଲାଟିର ପିଉସୀ କହିଲେ ଯେ ସେ ହଲ୍‌ଚଲ୍ ହେଉଛି। ସଙ୍ଗେ ସଙ୍ଗେ ତା’କୁ ପ୍ୟାକେଟ୍ ଭିତରୁ କଢ଼ା ଯାଇଥିଲା। ଛୁଆଟିର ହୃତ୍‌ପିଣ୍ଡ ଚାଲୁଥିଲା ଓ ସେ ହାତଗୋଡ଼ ଧୀରେ ଧୀରେ ହଲାଉଥିଲା।

ଏହା ପରେ ପିଲାଟିର ବାପା ପୋଲିସ୍‌ ଏତଲା ଦେଇଛନ୍ତି। ସେ କହିଛନ୍ତି ଯେ ଡାକ୍ତରମାନେ ଏତେ ଦାୟିତ୍ୱହୀନ କେମିତି ହୋଇପାରିବେ। ଏକ ଜୀବୀତ ଛୁଆକୁ ମୃତ ଘୋଷଣା କରି ଦେଲେ। ଆମେ ଠିକ୍ ସମୟରେ ପ୍ୟାକେଟ୍ ଖୋଲି ନ ଥିଲେ ଛୁଆଟି ବାସ୍ତବରେ ମରି ଯାଇଥାଆନ୍ତା। ଆମେ ପ୍ରକୃତ କଥା କେବେ ବି ଜାଣି ପାରି ନ ଥାନ୍ତୁ।

ସଫଦରଜଙ୍ଗ ଡାକ୍ତରଖାନା କର୍ତ୍ତୃପକ୍ଷ ଏ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଛୁଆଟିକୁ ମୃତ ଘୋଷଣା କରିବା ପୂର୍ବରୁ ଠିକ୍ ଭାବେ ଯାଞ୍ଚ କରାଯାଇଥିଲା ନା ନାହିଁ ତାର ତଦନ୍ତ କରାଯିବ।

ଜଣେ ଡାକ୍ତରଙ୍କ କହିବା ଅନୁଯାୟୀ ଏମିତି ନବଜାତ ଶିଶୁଙ୍କୁ ମୃତ ଘୋଷଣା କରିବା ପୂର୍ବରୁ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ନଜର ରଖାଯାଏ।

ରିପୋର୍ଟ-ଆଜ୍‌ତକ୍‌