‘ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍’ ଫିଲ୍ମକୁ ନେଇ ରାଜନୀତିକ ଝଡ଼

ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୧୧ରେ ରିଲିଜ୍‌ ହେବାକୁ ଥିବା ବଲିଉଡ୍‌ ଫିଲ୍ମ ‘ଦି ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍’ କୁ ନେଇ ଏବେ ଦେଶର ରାଜନୀତି ଜୋର ଧରିଛି। ଫିଲ୍ମଟି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ କଂଗ୍ରେସର ଭିତିରି ରାଜନୀତି କଥା ଉପରେ ପର୍ଯ୍ୟବସିତ ହୋଇଥିବାରୁ ଏହାକୁ ନେଇ ବୟାନବାଜି ଆରମ୍ଭ ହୋଇଯାଇଛି।

ବିଶେଷ କରି ବିଜେପି ଏହି ଫିଲ୍ମର ଟ୍ରେଲରକୁ ନିଜର ଅଫିସିଆଲ୍‌ ଟ୍ୱିଟର ଆକାଉଣ୍ଟରେ ଛାଡ଼ିବା ପରେ ଏହାକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି। ଫିଲ୍ମକୁ କଂଗ୍ରେସ ପକ୍ଷରୁ ବିଭିନ୍ନ ରାଜ୍ୟରେ ବିରୋଧ କରାଯାଉଥିବାରୁ ଏଥିପାଇଁ ଦଳୀୟ ହାଇକମାଣ୍ଡ ଏକ ନିର୍ଦ୍ଦେଶ ଜାରି କରିଥିବା ଜଣାପଡ଼ିଛି। ଫିଲ୍ମ ସମ୍ପର୍କରେ କୌଣସି ନେତା ମୁହଁ ନ ଖୋଲିବାକୁ କଂଗ୍ରେସର ଶୀର୍ଷ ସ୍ତରୀୟ ନେତା ପରାମର୍ଶ ଦେଇଥିବା ଜଣାପଡ଼ିଛି।

ତେବେ ଏନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ। କିନ୍ତୁ ମଧ୍ୟପ୍ରଦେଶରେ କ୍ଷମତାସୀନ କଂଗ୍ରେସ ସରକାର ରାଜ୍ୟରେ ଫିଲ୍ମକୁ କୌଣସି ପ୍ରକାରର ବିରୋଧ କିମ୍ବା ବ୍ୟାନ୍‌ କରାଯିବ ନାହିଁ ବୋଲି ଘୋଷଣା କରିଛି।

ଦଳର ଜଣେ ନେତା ଫିଲ୍ମକୁ ବିରୋଧ କରି ଏହାର ନିର୍ମାତାଙ୍କୁ ଚିଠି ଲେଖିଥିବା ବେଳେ କଂଗ୍ରେସର ମଧ୍ୟପ୍ରଦେଶ ମୁଖପାତ୍ର କୌଣସି ପ୍ରକାରର ବ୍ୟାନ୍‌ କରାଯିବ ନାହିଁ ବୋଲି କହିଛନ୍ତି।

ଦଳର ମିଡିଆ ଇନଚାର୍ଜ ନଗେନ୍ଦ୍ର ସାଲୁଜା କହିଛନ୍ତି, “ ଫିଲ୍ମଟି ଏତେ ତଳସ୍ତରର ଯେ ଆମେ ତାକୁ ନେଇ ଆଲୋଚନା କରିବାକୁ ଚାହୁଁନାହୁଁ। ଆମେ ଫିଲ୍ମକୁ ବିରୋଧ କରି ଏହା ପ୍ରଚାର ଓ ପ୍ରସାର କରିବାକୁ ଚାହୁଁନାହୁଁ। ତେଣୁ ମଧ୍ୟପ୍ରଦେଶରେ ଏହାକୁ କୌଣସି ପ୍ରକାରର ବିରୋଧ କରାଯିବ ନାହିଁ।”

କଂଗ୍ରେସର ଜାତୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି “ ବିଜେପି ମିଥ୍ୟା ପ୍ରଚାର କରିବା ପାଇଁ ଏଭଳି ନୀତି ଆପଣାଇଛି। ମଧ୍ୟପ୍ରଦେଶ ସରକାର ଫିଲ୍ମକୁ ବିରୋଧ କରୁଥିବା ନେଇ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ସେଥିରେ କୌଣସି ସତ୍ୟତା ନାହିଁ। ଏଭଳି ମିଥ୍ୟା ପ୍ରଚାରରେ କଂଗ୍ରେସ ଡରିବ ନାହିଁ କିମ୍ବା ମୋଦି ସରକାରଙ୍କୁ ପ୍ରଶ୍ନ କରିବା ଭୁଲିବ ନାହିଁ।”

ଅନ୍ୟପକ୍ଷରେ ମହାରାଷ୍ଟ୍ର କଂଗ୍ରେସ ପକ୍ଷରୁ ‘ଦି ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍’ର ନିର୍ମାତାଙ୍କୁ ଚିଠି ଲେଖାଯାଇଛି। ଯେଉଁଥିରେ ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ଦଳ ପାଇଁ ଏକ ସ୍ୱତନ୍ତ୍ର ସ୍କ୍ରିନିଂ କରିବାକୁ ଦାବି କରାଯାଇଛି।

କଂଗ୍ରେସର ଏପରି ଦାବିକୁ ବିଜେପି ନାପସନ୍ଦ କରିଛି। ଦଳର ମିଡିଆ ସେଲ୍‌ ଦାୟିତ୍ୱରେ ଥିବା ଅମିତ ମାଲବ୍ୟ କହିଛନ୍ତି, “ କଂଗ୍ରେସ ନିଜକୁ ସେସନର ବୋର୍ଡ ଭାବୁଛି। ଫିଲ୍ମଟି ୨୦୧୪ ଏପ୍ରିଲ ମାସରେ ପ୍ରକାଶ ପାଇଥିବା ବହି ଆଧାରରେ ନିର୍ମାଣ କରାଯାଇଛି। କାରଣ ଯଦି କେହି ବହି ପଢ଼ି ନଥିବେ, ତା’ହେଲେ ସେମାନେ ଫିଲ୍ମ ଦେଖିବେ। କୁଆଡ଼େ ଗଲେ ସର୍ବଦା ମୁକ୍ତ ବାକ୍‌ ସ୍ୱାଧୀନତା କଥା କହୁଥିବା ନେତାମାନେ?”