ପଞ୍ଚମ ଓ ଅଷ୍ଟମ ପିଲା ଦେବେ ବୋର୍ଡ ପରୀକ୍ଷା: କିଏ ନେଲା ଏହି ନିଷ୍ପତ୍ତି ?

ନୂଆଦିଲ୍ଲୀ: ପିଲାଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ICSE ବୋର୍ଡ। ଏଥିପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଭଲ ରେଜଲ୍ଟ ପାଇଁ କମର କସିଛି ICSE। ଦଶମ ବୋର୍ଡ ପରୀକ୍ଷା ଢାଞ୍ଚାରେ ଏଣିକି ପରୀକ୍ଷା ଦେବେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀ। ଶିକ୍ଷାର ମାନ ବୃଦ୍ଧି ସଙ୍ଗେ ସଙ୍ଗେ ଦଶମ ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀ ମାନେ କିପରି ଭଲ ମାର୍କ ରଖିବେ ତାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି CISCE ସିଇଓ ଗୌରୀ ଆରାଥୁନ୍। ତେବେ ଦଶମ ବୋର୍ଡ ପରୀକ୍ଷା ପରି ଏଥିରେ ପାସ୍ କିମ୍ୱା ଫେଲ୍‌ର ବ୍ୟବସ୍ଥା ରହିବ ନାହିଁ। ଶିକ୍ଷା ବ୍ୟବସ୍ଥାର ଏହି ନବକଳେବର ରୂପ ୨୦୧୮ରୁ ଲାଗୁ ହେବ।

ଏଥିସହିତ ସଂସ୍କୃତ, ଯୋଗ ଓ ପରଫମିଙ୍ଗ ଆର୍ଟସ ଭଳି ୩ଟି ବିଷୟକୁ ସିଲାବସ୍‌ରେ ସ୍ଥାନ ଦେବାକୁ ନିଷ୍ପତ୍ତି ନେଇଛି ବୋର୍ଡ। ଯୋଗ ଓ ପରଫମିଙ୍ଗ ଆର୍ଟ ବିଷୟ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରାଙ୍କ ପାଇଁ ବାଧ୍ୟତାମୂଳକ ଥିବା ବେଳେ ସଂସ୍କୃତ ବିଷୟକୁ ପଞ୍ଚମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସିଲାବସ୍‌ରେ ସ୍ଥାନ ପାଇବ।