‘ଫେକ୍‌ ନ୍ୟୁଜ୍‌’ ଛାପିଲେ ସାମ୍ୱାଦିକ ହରାଇବେ ସ୍ୱୀକୃତି

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସୋମବାର ସାମ୍ୱାଦିକଙ୍କ ସ୍ୱୀକୃତି ସଂପର୍କିତ ସଂଶୋଧିତ ଗାଡ୍‌ଲାଇନ୍‌ ଜାରି କରିଛନ୍ତି। ‘ଫେକ୍‌ ନ୍ୟୁଜ୍‌’କୁ ରୋକିବା ପାଇଁ ଏଥିରେ ଅନେକ ନୂଆ ନିୟମ ସାମିଲ କରାଯାଇଛି। ଏଥିରେ ସାମ୍ୱାଦିକଙ୍କ ସ୍ୱୀକୃତି ରଦ୍ଦ କରିବା ଭଳି କଡ଼ା ନିୟମ ମଧ୍ୟ ରହିଛି।

’ଫେକ୍‌ ନ୍ୟୁଜ୍‌’ ସମ୍ପର୍କିତ କୌଣସି ପ୍ରକାର ଅଭିଯୋଗ ଆସିଲେ ଏବଂ ଏହା ପ୍ରିଣ୍ଟ ମିଡିଆ ସହିତ ଜଡ଼ିତ  ହୋଇଥିଲେ ଏହାକୁ  ପ୍ରେସ୍‌ କାଉନସିଲ୍ ଅ‍ଫ୍ ଇଣ୍ଡିଆ (ପିସିଆଇ)କୁ ପଠାଇ ଦିଆଯିବ। ସେହିପରି ଇଲେଟ୍ରୋନିକ୍ସ ମିଡିଆରୁ ଏପରି ଅଭିଯୋଗ ଆସିଲେ ନ୍ୟୁଜ୍‌ ବୋଡକାଷ୍ଟର୍ସ ଆସୋସିଏସନ୍‌ (ଏନ୍‌ବିଏ)କୁ ପଠାଇ ଦିଆଯିବ। ଏହି ଦୁଇ ସଂସ୍ଥା ନିଷ୍ପତ୍ତି ନେବ ଯେ ଏହା ‘ଫେକ୍‌ ନ୍ୟୁଜ୍‌’ କି ନୁହେଁ।

ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ  ସ୍ମୃତି ଇରାନୀ କହିଛନ୍ତି ଯେ ଫେକ୍‌ ନ୍ୟୁଜ୍‌ ମାମଲାରେ ପିସିଆଇ ଓ ଏନ୍‌ବିଏ ସବୁ ନିଷ୍ପତ୍ତି ନେବ। ଏହି ଦୁଇ ସଂସ୍ଥା ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଅବା ନିୟନ୍ତ୍ରିତ ହୁଅନ୍ତି ନାହିଁ।

ତେବେ ସରକାରଙ୍କ ଏହି ନିର୍ଦ୍ଦେଶକୁ ଅନେକ ସାମ୍ୱାଦିକ ବିରୋଧ କରିବା ଆରମ୍ଭ କରି ଦେଇଛନ୍ତି। ଏହାଦ୍ୱାରା ସାମ୍ୱାଦିକଙ୍କ ସ୍ୱାଧୀନତାକୁ ଚାପି ଦେବାକୁ ଉଦ୍ୟମ ହେଉଛି ବୋଲି  ସେମାନେ ଅଭିଯୋଗ କରିଛନ୍ତି।