ଆର୍ମିରେ ଭର୍ତ୍ତି ପାଇଁ ଘୋଷଣା ହେଲା ୪ ଲକ୍ଷ୍ମଣରେଖା: କାନରେ ମଳି ଜମିଥିଲେ ମିଳିବନି ଚାକିରି

ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ ଏବେ ଆଶାୟୀ ପ୍ରାର୍ଥୀଙ୍କୁ କଡା ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ। କାରଣ ଭାରତୀୟ ସେନାରେ ଭର୍ତ୍ତି ହେବାକୁ ଥିବା ନିୟମରେ ଆସିଛି ପରିବର୍ତ୍ତନ। ନୂଆ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ପୂର୍ବରୁ ଏନେଇ ଘୋଷଣା କରିଛି ଭାରତୀୟ ସେନା। ଆସନ୍ତୁ ଜାଣିବା କେଉଁ ୪ଟି ନୂଆ ଲକ୍ଷ୍ମଣରେଖା ପାର୍ ହେଲେ ଆପଣଙ୍କୁ ମିଳିବ ଭାରତୀୟ ସେନାରେ ଚାକିରି।

ମୁଁ ଅବିବାହିତ…ସେନାରେ ଭର୍ତ୍ତି ବେଳେ ହେଉଥିବା ଜାଲିଆତି ରୋକିବା ପାଇଁ ନୂଆ ନିୟମ ଆଣିଛି ଭାରତୀୟ ସେନା। ଏଣିକି ଆଶାୟୀ ପ୍ରାର୍ଥୀଙ୍କୁ ସେନାରେ ଆବେଦନ କଲାବେଳେ ଏକ ପ୍ରମାଣପତ୍ର ଦେବାକୁ ପଡ଼ିବ ଯେଉଁଥିରେ ମୁଁ ଅବିବାହିତ ବୋଲି ଲେଖାଥିବା ଆବଶ୍ୟକ। ସେନା ଅଫିସରଙ୍କ କହିବା ଅନୁଯାୟୀ ଏହି ନୂଆ ନିୟମ ଆସିବା ଦ୍ୱାରା ସେନାରେ ଜାଲିଆତି କରି ପଶୁଥିବା ଯୁବକଙ୍କ ସଂଖ୍ୟା କମିବ।

i. armyସେନାରେ ନିଯୁକ୍ତି ବେଳେ ମୁଖ୍ୟତଃ ୧୮ ବର୍ଷରୁ ଅଧିକ ବୟସର ଯୁବକ ଭାଗ ନେବାର ନିୟମ ରହିଛି। କିଛି ସ୍ଥଳରେ ୨୧ ବର୍ଷରୁ କମ୍ ବୟସର ବିବାହିତ ଯୁବକ ମଧ୍ୟ ସେନାରେ ନିଯୁକ୍ତି ପାଇଥାନ୍ତି। ଟ୍ରେନିଂ ସମୟରେ ଏହି ଯୁବକମାନେ ଆହତ ହେଲେ କିମ୍ୱା ମୃତ୍ୟୁ ହେଲେ, ଏମାନଙ୍କ ପତ୍ନୀ କ୍ଷତିପୂରଣ ପାଇଁ ଅଡ଼ି ବସିଥାନ୍ତି, ଯାହାକି ଆଇନ ବିରୋଧୀ। କାରଣ ଭାରତରେ ୨୧ ବର୍ଷରୁ କମ୍ ବୟସର ଯୁବକଙ୍କ ବିବାହ ଆଇନ ସମ୍ମତ ନୁହେଁ।

ଏହି କାରଣରୁ ସେନା ଅଧିକାରୀଙ୍କ ପାଇଁ ବିଭିନ୍ନ ଆଇନଗତ ସମସ୍ୟା ଉପୁଜୁଥିଲା। ତେଣୁ ସେନାରେ ଭର୍ତ୍ତି ପାଇଁ ଆବେଦନ କରୁଥିବା ୨୧ ବର୍ଷରୁ କମ୍ ବୟସର ଯୁବକ ଏକ ପ୍ରମାଣପତ୍ର ଦେବାପାଇଁ ସେନା ମୁଖ୍ୟାଳୟ ନୂଆ ନିୟମ ଜାରି କରିଛି। ଯେଉଁ ପ୍ରମାଣପତ୍ରରେ ଲେଖାଥିବ କି ଆବେଦନ କରୁଥିବା ଯୁବକ ଜଣକ ଅବିବାହିତ। ଏହି ପ୍ରମାଣପତ୍ରଟି ଗାଁର ସରପଞ୍ଚ କିମ୍ୱା କର୍ପୋରେଟରଙ୍କ ବା ଅନ୍ୟ ଜନପ୍ରତିନିଧିଙ୍କ ଦ୍ୱାରା ଯାଞ୍ଚ ହୋଇଥିବା ଆବଶ୍ୟକ। ତେବେ ଯାଇ ଆପଣ ଭାରତୀୟ ସେନା ପାଇଁ ଆବେଦନ କରି ପାରିବେ।

senaସେନାରେ ଭର୍ତ୍ତି ବେଳେ କାନରେ ଯଦି ମଇଳା ଜମିଥାଏ କିମ୍ୱା କାନର ବାଳ ବଢି ଯାଇଥାଏ ତେବେ ଆପଣଙ୍କ ଆବେଦନକୁ ନାକଚ କରାଯିବ। ପୂର୍ବରୁ ଏଭଳି ଯୁବକଙ୍କୁ ସେନାରେ ମନୋନୟନ ପରେ ଫିଟ୍ ହେବାକୁ ୨୧ରୁ ୪୨ ଦିନ ସମୟ ଦିଆ ଯାଉଥିଲା। ହେଲେ ଏବେ ଏପରି ଲକ୍ଷଣ ଦେଖାଗଲେ ପ୍ରାର୍ଥୀଙ୍କୁ ଅନଫିଟ୍ ଘୋଷଣା କରାଯିବ।

ତେବେ ଅନ୍ୟଏକ ଗୁରୁତ୍ୱପୂର୍ଣ୍ଣ ନିୟମ ଅନୁଯାୟୀ ସେନାରେ ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା ଥିବା ନିୟମରେ ମଧ୍ୟ ପରିବର୍ତ୍ତନ ହୋଇଛି। ସେନାରେ ବାହାରୁଥିବା କିରାଣୀ ପଦ ପାଇଁ ଦ୍ୱାଦଶ ଶ୍ରେଣୀରେ ୬୦ ପ୍ରତିଶତ ନମ୍ୱର ରହିବା ଅନିବାର୍ଯ୍ୟ। ପୂର୍ବରୁ ସେନାରେ ଭର୍ତ୍ତି ପାଇଁ ଦ୍ୱାଦଶ ଶ୍ରେଣୀ ଥିଲା ଶିକ୍ଷାଗତ ମାପଦଣ୍ଡ। ଏଥିସହିତ ନୂଆ ନିୟମ ଅନୁଯାୟୀ ଦ୍ୱାଦଶ ଶ୍ରେଣୀରେ ୬୦ ପ୍ରତିଶତ ସହ ଇଂରାଜୀ ଓ ଗଣିତ ବିଷୟରେ ଶତକଡା ୫୦ ପ୍ରତିଶତ ନମ୍ୱର ରଖିବା ଜରୁରୀ। ସେନାରେ ଆବେଦନ କରିବା ପାଇଁ ଏଣିକି ଆଧାରକାର୍ଡ ଅପରିହାର୍ଯ୍ୟ  ନଚେତ୍ ଆବେଦନକାରୀ ଅଯୋଗ୍ୟ ଘୋଷିତ ହେବେ।