ସରଳ ହେଲା ରେଳ ଯାତ୍ରା: ଏଣିକି ନଗଦ ନୁହେଁ  ବାକିରେ ବି ହୋଇପାରିବ ଟିକେଟ ବୁକିଂ

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ନଗଦ ନୁହେଁ  ବାକିରେ  ବି ହୋଇପାରିବ ରେଲୱେ ଟିକେଟ ବୁକିଂ ।  ଏହି ନୂଆ ସ୍କିମ୍‌ର ନା ରହିଛି ‘ବୁକ୍‌ ନାଓ ପେ ଲେଟର’।  ଯାତ୍ରୀଙ୍କ ପାଇଁ ଏମିତି କିଛି ସୁବିଧା ଯୋଗାଇଦେବାକୁ  ସ୍ଥିର କରିଛି ଇଣ୍ଡିଆନ ରେଲୱେ କେଟରିଂ ଆଣ୍ଡ ଟୁରିଜିମ୍‌ (ଆଇଆରଟିସି)। ଯେକୌଣସି ଏକ୍ସପ୍ରେସ୍‌ ପାଇଁ ଏହି ସୁବିଧା ଉପଲବ୍ଧ ହେବ।

ମିଳିଥିବା ସୂଚନା ଅନୁଯାୟୀ ଯାତ୍ରୀମାନେ ଆଇଆରଟିସି ସାଇଟ୍‌ରେ ଏହି ଟିକେଟ ବୁକିଂ କରିପାରିବେ।  ଆଇଆରଟିସି ମୁଖପାତ୍ର ସନ୍ଦିପ୍‌ ଦତ୍ତ କହିଛନ୍ତି ଯେ, ଏଥିପାଇଁ ଆଇଆରଟିସି  ଏବଂ ମୁମ୍ବାଇର ଇ-ପେ ଫାର୍ମ  ମିଳିତ ଭାବେ କାମ କରିବେ।  ଯାତ୍ରାର ୫ ଦିନ ଆଗରୁ ଟିକେଟ ବୁକିଂ ଏବଂ ଏଥିଲାଗି ୩.୫ ପ୍ରତିଶତ ଅଧିକ ଚାର୍ଜ ଦେବାକୁ ପଡ଼ିବ। ଟିକେଟ ବୁକିଂର ୧୪ ଦିନ  ପରେ ଭଡ଼ାପଇସା  ନିଆଯିବ। ନୂଆ ଫିଚର ଅନୁଯାୟୀ ଯାତ୍ରୀମାନେ ଟିକେଟ ବୁକିଂ କରିବା ପରେ ଏକ କ୍ରେଡିଟ୍‌ କାର୍ଡ଼ ଇଶ୍ୟୁ ହେବ। ଗ୍ରାହକଙ୍କ  ସିବିଲ (କ୍ରେଡିଟ ଇନଫର୍ମେଶନ ବ୍ୟୁରୋ ଇଣ୍ଡିଆ ଲିମିଟେଡ) ସ୍କୋର ଯାଞ୍ଚ ହେବା ପରେ ଏହି କାର୍ଡ଼ ଇଶ୍ୟୁ ହେବ।  ତେବେ ଟିକେଟ ବୁକିଂ ପାଇଁ ପ୍ରଥମେ ଯାତ୍ରୀମାନଙ୍କୁ  ନିଜର ଆଇଡି, ପାନକାର୍ଡ଼ ଏବଂ ଆଧାର ସମ୍ପର୍କିତ ତଥ୍ୟ ଆଇଆରଟିସି  ସାଇଟ୍‌ରେ ଦେବାକୁ ପଡ଼ିବ।