ମାନବାଧିକାର କମିଶନଙ୍କ ରିପୋର୍ଟ ଖୋଲିଲା ଯୋଗୀ ସରକାରଙ୍କ ଗୁମର

ନୂଆଦିଲ୍ଲୀ: କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ଦଳିତ ଓ ସଂଖ୍ୟାଲଘୁଙ୍କ ପାଇଁ କାର୍ଯ୍ୟ କରୁଥିବା କହୁଛନ୍ତି। ସେହିପରି ଉତ୍ତର ପ୍ରଦେଶରେ କ୍ଷମତାସୀନ ଯୋଗୀ ସରକାର ଓ ରାଜ୍ୟ ପୁଲିସ୍‌ ଆଇନ୍‌ଶୃଙ୍ଖଳା ସ୍ଥିତିକୁ ସୁଧାରି ଦେଇଥିବା ଦାବି କରୁଛନ୍ତି। ହେଲେ ଜାତୀୟ ମାନବାଧିକାର କମିଶନଙ୍କ ରିପୋର୍ଟ ଯୋଗୀ ସରକାରଙ୍କ ଗୁମର ଖୋଲି ଦେଇଛି।

ଉତ୍ତର ପ୍ରଦେଶରେ ସଂଖ୍ୟାଲଘୁ ଓ ଦଳିତ ମାନଙ୍କୁ କ୍ରମାଗତ ଭାବେ ନିର୍ଯାତନା ଦିଆଯାଉଛି। ଯୋଗୀଙ୍କ ସରକାରରେ ସଂଖ୍ୟାଲଘୁ ଓ ଦଳିତମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ଦଳିତ ଓ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ନିର୍ଯାତନାକୁ ନେଇ ଜାତୀୟ ମାନବାଧିକାର କମିଶନ ଗତ ୩ ବର୍ଷ ମଧ୍ୟରେ ଏକାଧିକ ମାମଲା ରୁଜୁ କରିଛନ୍ତି।

ଏହା ମଧ୍ୟରୁ ୪୩% ମାମଲା କେବଳ ଉତ୍ତର ପ୍ରଦେଶରେ ଘଟିଛି। ସେହିପରି ଓଡ଼ିଶାରେ ସଂଖ୍ୟାଲଘୁଙ୍କୁ ନିର୍ଯାତନା ସଂକ୍ରାନ୍ତରେ ୫ଟି ଓ ଦଳିତଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ୭୦ଟି ମାମଲା ରୁଜୁ ହୋଇଛି।

୨୦୧୬ରୁ ୨୦୧୯ ଜୁନ୍‌ ୧୫ ମଧ୍ୟରେ ଜାତୀୟ ମାନବାଧିକାର କମିଶନ ୨,୦୦୮ଟି ମାମଲା ରୁଜୁ କରିଛି। ଏହା ମଧ୍ୟରୁ କେବଳ ଉତ୍ତର ପ୍ରଦେଶରେ ୮୬୯ଟି ମାମଲା ରୁଜୁ ହୋଇଛି।

ଜୁଲାଇ ୧୬ରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଲୋକସଭାରେ ଏ ସମ୍ପର୍କିତ ତଥ୍ୟ ଦେଇଛି। ମହାରାଷ୍ଟ୍ରରେ ଗତ ୩ ବର୍ଷ ମଧ୍ୟରେ ସଂଖ୍ୟାଲଘୁମାନଙ୍କ ଉପରେ ନିର୍ଯାତନା ନେଇ ୧୫ଟି ମାମଲା ରୁଜୁ ହୋଇଛି। ସେହିପରି ୪୭ଟି ଦଳିତ ନିର୍ଯାତନା ମାମଲା ରୁଜୁ ହୋଇଛି।

ସଂଖ୍ୟାଲଘୁ ଓ ଦଳିତଙ୍କ ଉପରେ ହେଉଥିବା ନିର୍ଯାତନା ପାଇଁ ଉତ୍ତରାଖଣ୍ଡରେ ଯଥାକ୍ରମେ ୧୦ ଓ ୪୮, ଦିଲ୍ଲୀରେ ୧୬ ଓ ୬୦, ଗୁଜରାଟରେ ୨୩ ଓ ୬୫, ଓଡ଼ିଶାରେ ୫ ଓ ୭୦, ମଧ୍ୟପ୍ରଦେଶରେ ୧୬ ଓ ୭୨, ବିହାରରେ ୧୯ ଓ ୭୮, ହରିଆଣାରେ ୧୨ ଓ ୯୪, ରାଜସ୍ଥାନରେ ୧୧ ଓ ୧୨୦ ଏବଂ ଉତ୍ତର ପ୍ରଦେଶରେ ୭୦ ଓ ୭୯୯ଟି ମାମଲା ରୁଜୁ ହୋଇଛି।