ଟାର୍ଗେଟରେ ‘କାଶ୍ମୀରୀ ପଥରବାଜ୍‌’: ଜାଣନ୍ତୁ କେମିତି ସେନାକୁ ଫିଙ୍ଗନ୍ତି ପଥର

ଶ୍ରୀନଗର (ଓଡ଼ିଶା ରିପୋର୍ଟର): ଅପରେସନ ଅଲ୍‌ ଆଉଟ୍‌ରେ ଥର ହର ହେଉଛନ୍ତି ଆତଙ୍କବାଦୀ। ସେନା ଜାରି କରିଥିବା ୨୫୦ ଆତଙ୍କବାଦୀଙ୍କ ସୂଚୀରୁ ମଲେଣି ୧୦୦ରୁ ଅଧିକ।ଖୋଜି ଖୋଜି ଭାରତୀୟ ସେନା ସେମାନଙ୍କୁ ନିପାତ କରୁଛନ୍ତି। ଆତଙ୍କବାଦୀଙ୍କ ପରେ ଏଥର ପାଳି ପଡିଛି ‘କାଶ୍ମୀରୀ ପଥରବାଜ୍‌’ଙ୍କର। ଆଜି ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନ୍‌ଆଇଏ) ଦୁଇଜଣ କୁଖ୍ୟାତ ପଥରବାଜ୍‌ଙ୍କୁ ଗିରଫ କରିଛି। ଏହାସହ ଏନ୍‌ଆଇଏ ୧୦୦ ଜଣ ପଥରବାଜ୍‌ଙ୍କ ତାଲିକା ପ୍ରସ୍ତୁତ କରିଛି। ଶୀଘ୍ର ଏମାନଙ୍କୁ ଜେଲ୍‌ର ଚାରିକାନ୍ଥ ଭିତରେ ଦେଖିବାକୁ ମିଳିବ।

ଆଜି ଏନ୍‌ଆଇଏ ଗିରଫ କରିଥିବା ଦୁଇ ପଥରବାଜ୍‌ ହେଲେ କୁଲଗାମର ଜାୱେଦ ଏବଂ ପୁଲୱାମାର କାମରାନ। କାମରାନର ବୟସ ୨୨ ବର୍ଷ ଓ ସେ ସ୍ୱତନ୍ତ୍ର ଫଟୋଗ୍ରାଫର ଭାବେ କାମ କରେ ବୋଲି ଜଣାପଡିଛି।

Kashmir stone peltersପଥରବାଜ୍‌ଙ୍କ କାମ

ଗୋଟିଏ କି ଦୁଇଟି ଗ୍ରୁପ୍‌ ଏହି କାମ କରୁନାହାଁନ୍ତି। ଜମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ ରହିଛି ଏମାନଙ୍କ ଗ୍ରୁପ୍‌। ସୋସିଆଲ ମିଡିଆରେ ଏମାନେ ସବୁବେଳେ ଆକ୍ଟିଭ। ବିଶେଷ କରି ହ୍ୱାଟ୍ସଆପ୍‌ରେ। କୌଣସି ସ୍ଥାନରେ ସୁରକ୍ଷାକର୍ମୀ ଏନ୍‌କାଉଣ୍ଟର କରୁଥିଲେ କି ସର୍ଚ୍ଚ ଅପରେସନ କରୁଥିଲେ ଏମାନେ ପହଞ୍ଚି ଯାଇଥାନ୍ତି ଘଟଣା ସ୍ଥଳରେ। ଏହାପରେ ସୁରକ୍ଷା କର୍ମୀଙ୍କ ଉପରେ ଆରମ୍ଭ କରିଦେଇଥାନ୍ତି ଆଖିବୁଜା ପଥର ମାଡ଼। ହେଲେ ସେନା ପକ୍ଷରୁ କେବେ ବି ଏହି ପଥରବାଜ୍‌ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥାଏ। କାରଣ ଏଥିରେ ସାମିଲ ପ୍ରାୟତଃ ସମସ୍ତେ ଛାତ୍ର ଓ ସମସ୍ତେ ଭାରତୀୟ।

କେମିତି କରିଥାନ୍ତି ଆଟାକ୍‌

କୌଣସି ସ୍ଥାନରେ ସେନା ଆତଙ୍କବାଦୀଙ୍କୁ ଏନ୍‌କାଣ୍ଟର କରୁଥିଲେ ହୁରିୟତ ନେତାଙ୍କ ପାଖରୁ ପଥରବାଜ୍‌ ଗ୍ରୁପ୍‌ର ଲିଡରଙ୍କ ପାଖକୁ ଯାଇଥାଏ ଖବର। ଏଥିପାଇଁ ହୁରିୟତ ପକ୍ଷରୁ ସେମାନଙ୍କୁ ଦିଆଯାଇଥାଏ ପ୍ରଚୁର ଅର୍ଥ। ଏହାପରେ ଗ୍ରୁପ୍‌ ଲିଡର ସୋସିଆଲ ମିଡିଆ ଜରିଆରେ ଯୁବକମାନଙ୍କୁ କେଉଁ ସ୍ଥାନକୁ ଯାଇ ପଥର ମାଡ଼ କରିବାକୁ ପଡିବ ସୂଚନା ଦେଇଥାନ୍ତି। ବାସ୍‌ ସୂଚନା ମିଳିଯିବା ପରେ ଯୁବକମାନେ ନିର୍ଦ୍ଦିଷ୍ଟ ସ୍ଥାନରେ ଏକାଠି ହୋଇ ସୁରକ୍ଷା କର୍ମୀଙ୍କ ଉପରେ ଆରମ୍ଭ କରି ଦେଇଥାନ୍ତି ପଥର ମାଡ଼।

hqdefaultସୋସିଆଲ ମିଡିଆରୁ ହେଲେ ଚିହ୍ନଟ

ଯେଉଁ ସୋସିଆଲ ମିଡିଆର ସାହାର ନେଇ ପଥରବାଜ୍‌ ଗ୍ରୁପ୍‌ର ଲିଡରମାନେ ସେମାନଙ୍କ କାମ କରିଥାନ୍ତି ଏବେ ସେହି ସୋସିଆଲ ମିଡିଆ ତାଙ୍କ ପାଇଁ କାଳ ହେବାକୁ ଯାଉଛି। ସୋସିଆଲ ମିଡିଆରୁ ହିଁ ଏନ୍‌ଆଇଏ ୧୦୦ ପଥରବାଜ୍‌ ଗ୍ରୁପ୍‌ର ଲିଡରଙ୍କୁ ଚିହ୍ନଟ କରିଛି। ପଥର ମାଡ଼ କରୁଥିବା ଯୁବକଙ୍କ ପୂରା କୁଣ୍ଡଳି ବାହାର କରାଯାଇଛି। ଫେସ୍‌ବୁକ୍‌, ହ୍ୱାଟ୍ସଆପ୍‌ ଓ ମୋବାଇଲ ନମ୍ବର ଡାଟାରୁ ଏମାନଙ୍କୁ ଚିହ୍ନଟ କରାଯାଇଛି। ଏହି ଯାଞ୍ଚରେ ଏନ୍‌ଆଇଏର ୧୦ ଜଣିଆ ଟିମ୍‌ ଦୀର୍ଘଦିନରୁ କାମ କରୁଥିଲେ।

ପୂର୍ବରୁ ୪୮ ପାକିସ୍ତାନୀ ପଥରବାଜ୍‌ ହୋଇଥିଲେ ଚିହ୍ନଟ

କିଛିଦିନ ପୂର୍ବରୁ ଏନ୍‌ଆଇଏ ୪୮ ଜଣ ପଥରବାଜ୍‌ ଗ୍ରୁପ୍‌ର ଲିଡରଙ୍କୁ ଚିହ୍ନଟ କରିଥିଲା। ଏମାନେ ପାକିସ୍ତାନରେ ରହି ହ୍ୱାଟ୍ସଆପ୍‌ ଜରିଆରେ ଜମ୍ମୁ-କଶ୍ମୀରରେ ସ୍କୁଲ ଜାଳିବାଠାରୁ ଆରମ୍ଭ କରି ସୁରକ୍ଷା କର୍ମୀଙ୍କ ଉପରେ ପଥର ମାଡ଼ କାମକୁ ଚୂଡାନ୍ତ ରୂପ ଦେଉଥିଲେ।