ଆଝାରୁଦ୍ଦିନ୍‌କୁ ବାନ୍ଧିଲା ଏନ୍ଆଇଏ, ତାମିଲନାଡ଼ୁରେ ବିଛାଉଥିଲା ଆଇଏସ୍ ଜାଲ

ଚେନ୍ନାଇ: ବୁଧବାର ଆଇସ୍‌ ଆତଙ୍କବାଦୀ ସଂଗଠନର ତାମିଲନାଡ଼ୁ ମୁଖ୍ୟକୁ ଗିରଫ କରିଛି ଏନ୍‌ଆଇଏ। ମୋଟ ୭ଟି ସ୍ଥାନରେ ଛାନ୍‌ଭିନ୍‌ କରାଯିବା ପରେ ପୁଲିସ୍‌ ତାକୁ ଗିରଫ କରିଛି। ଅନ୍ୟ ୬ ଜଣଙ୍କୁ ମଧ୍ୟ ପୁଲିସ୍‌ ପଚାରାଉଚରା ପାଇଁ ଅଟକ ରଖିଛି। ସେମାନେ ସୋଶାଲ ମିଡିଆରେ ଆତଙ୍କବାଦୀ ସଂଗଠନ ଆଇଏସ୍‌ର ପ୍ରଚାର ପ୍ରସାର କରୁଥିବା ଅଭିଯୋଗ ଆଣି ଏନ୍‌ଆଇଏ ମେ ୩୦ ତାରିଖରେ ମାମଲା ରୁଜୁ କରିଥିଲା।

ଏହି ଛାନ୍‌ଭିନ୍‌ ସମୟରେ ୧୪ଟି ମୋବାଇଲ ଫୋନ୍‌, ୨୯ଟି ସିମ୍‌କାର୍ଡ, ପେନ୍‌ଡ୍ରାଇଭ୍‌, ଲ୍ୟାପଟପ୍‌, ମେମୋରୀ କାର୍ଡ, ହାର୍ଡ ଡ୍ରାଇଭ୍‌, ଗୋଟିଏ ଛୁରୀ, ୩୦୦ ଏୟାର ଗନ୍‌ ଗୁଳି ଏବଂ ଏକ ଇଲେକ୍ଟ୍ରିକ୍‌ ବ୍ୟାଟନ୍‌ ଜବତ କରାଯାଇଛି।

ବହୁ ଧର୍ତ୍ତବ୍ୟ କାଗଜପତ୍ର ଏବଂ ବୃହତ୍‌ ସଂଖ୍ୟାରେ ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ ଓ ସୋଶାଲ ଡେମୋକ୍ରାଟିକ୍‌ ପାର୍ଟି ଅଫ୍‌ ଇଣ୍ଡିଆର ପୋଷ୍ଟର ମଧ୍ୟ ଜବତ ହୋଇଛି। ବର୍ତ୍ତମାନ ଏହିସବୁ କାଗଜପତ୍ର ଓ ପୋଷ୍ଟର ବାବଦରେ ସେମାନଙ୍କୁ ପଚରାଯାଉଛି।

ଏନ୍‌ଆଇଏ ମହମ୍ମଦ ଆଝାରୁଦ୍ଦିନ୍‌, ଆକ୍ରମ୍‌ ସିନ୍ଧା, ୱାଇ ଶେକ୍‌ ହିଦୟତୁଲ୍ଲା, ଆବୁକର ଏମ୍‌, ସାଧମ୍‌ ହୁସେନ୍‌ ଏ, ଏବଂ ଇବ୍ରାହିମ୍‌ ଓରଫ୍‌ ଶାହିନ୍‌ ଶାହ ଆଦିଙ୍କ ନାମରେ ପୁଲିସ୍‌ ମାମଲା ରୁଜୁ କରିଛି। ସେମାନେ ସମସ୍ତେ ଆଇଏସ୍‌ର ନେଟ୍‌ୱର୍କ ବଢ଼ାଇବା କାମରେ ଲାଗିଥିଲେ। ବିଶେଷ କରି କେରଳ ଏବଂ ତାଲିମନାଡ଼ୁ ଅଞ୍ଚଳରେ ସେମାନେ ଆଇଏସ୍‌ ପାଇଁ ପ୍ରଚାର କରୁଥିଲେ ଏବଂ ନୂତନ ସଦସ୍ୟ ସଂଗ୍ରହରେ ଲାଗିଥିଲେ।

ତଦନ୍ତରୁ ଜଣାପଡ଼ିଛି ଅଝାରୁଦ୍ଦିନ୍‌ ଶ୍ରୀଲଙ୍କା ଆତ୍ମଘାତୀ ବିସ୍ଫୋରଣର ଆତଙ୍କବାଦୀ ଜହରାନ୍‌ ହାଶିମ୍‌ଙ୍କର ଫେସବୁକ୍‌ ଫ୍ରେଣ୍ଡ ଥିଲା। ସୂଚନାଯୋଗ୍ୟ ଯେ ଇଷ୍ଟର ରବିବାରରେ ଶ୍ରୀଲଙ୍କାରେ ଘଟିଥିବା ବିସ୍ଫୋରଣ ଘଟଣାରେ ଆଏଏସ୍‌ ନିଜକୁ ଦାୟୀ କରିଥିଲା।