ଏନଆଇଏ ଅଧିକାରୀ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗିରଫ

ଲକ୍ଷ୍ନୌ: ଜାତୀୟ ତଦନ୍ତ ଏଜେନ୍ସୀ (ଏନଆଇଏ)ର ଅଧିକାରୀ ତଞ୍ଜିଲ୍ ଅହମ୍ମଦ ଓ ତାଙ୍କ ପତ୍ନୀଙ୍କର ହତ୍ୟା ଘଟଣାର ମାଷ୍ଟରମାଇଣ୍ଡକୁ ଆଜି ଉତ୍ତରପ୍ରଦେଶ ପୋଲିସର ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସିଟିଏଫ) ନୋଏଡାରୁ ଗିରଫ କରିଛି।

ଏସିଟିଏଫର ଜଣେ ବରିଷ୍ଠ ଅଧିକାରୀ ଏକଥା ସ୍ୱୀକାର କରି କହିଛନ୍ତି ଯେ ଗତ ଏପ୍ରିଲ ୨ ତାରିଖ ରାତିରେ ଏନଆଇଏର ଅଧିକାରୀ ଅହମ୍ମଦ ଓ ପତ୍ନୀ ଫରଜାନାଙ୍କ ଉପରେ ଆଖିବୁଜା ଗୁଳି କରି ହତ୍ୟା କରିଥିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ମୁନୀରଙ୍କୁ ନୋଏଡାରେ ଗିରଫ କରାଯାଇଛି।

ସୂଚନାଯୋଗ୍ୟ ଯେ ଗତ ଏପ୍ରିଲ ୨ ତାରିକ ରାତିରେ ନିଜ ଭାଣିଜୀର ବିବାହରେ ଯୋଗଦାନ କରି ବିଜନୌରର ସହସପୁର ଗାଁ ସ୍ଥିତ ନିଜ ଘରକୁ ଫେରୁଥିବା ସମୟରେ ଅହମଦ ଓ ତାଙ୍କ ପତ୍ନୀଙ୍କ ଗାଡିକୁ ମୁନୀର ଏବଂ ତାଙ୍କ ସାଥିମାନେ ରାସ୍ତାରେ ଅଟକାଇ ଥିଲେ। ମୁନୀର ତାଙ୍କ କାର ଉପରେ ଗୁଳି ବର୍ଷଣ କରିଥିଲା। ଅହମ୍ମଦଙ୍କ ଶରୀରରେ ୨୪ଟି ଗୁଳି ବାଜିବାରୁ ଘଟଣାସ୍ଥଳରେ ହିଁ  ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ପତ୍ନୀ ଫରଜାନା ଘଟଣାର ଦଶମ ଦିନ ଦିଲ୍ଲୀସ୍ଥିତ ଏମ୍ସ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା। ଏହି ଦ୍ୱତ ହତ୍ୟାକାଣ୍ଡ ମାମଲାରେ ଏପର୍ଯ୍ୟନ୍ତ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଏହା ପୂର୍ବରୁ ଏହି ମାମଲାରେ ରିଜୱାନ, ତଞ୍ଜିମ୍, ରେହାନ ଏବଂ ଜୈନୁଲ ନାମକ ଚାରିଜଣଙ୍କୁ ଗିରଫ କରାଯାଇଛି। ଉତ୍ତର ପ୍ରଦେଶ ପୋଲିସ ଏହି ଘଟଣାର କିଛି ଦିନ ପରେ ସ୍ପଷ୍ଟ କରିଥିଲା ଯେ ଏହି ଘଟଣାଟି ବ୍ୟକ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି ସଂଘଟିତ ହୋଇଥିଲା।