ନାଇଜରରେ ବନ୍ୟା: ୪ ମୃତ, ୨୦ ହଜାର ପ୍ରଭାବିତ

ନିଆମି: ନାଇଜରରେ ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ସପ୍ତାହ ବ୍ୟାପୀ ବର୍ଷା ଯୋଗୁ ବନ୍ୟା ହୋଇ ୨,୧୭୦ଟି ଘର ଭାଙ୍ଗି ଯାଇଛି। ପ୍ରାୟ ୫୪୫ ହେକ୍ଟର ଚାଷ ଜମିରେ ବାଲିଚର ମାଡ଼ି ଯାଇଛି। ୩,୧୦୦ ଲୋକ ବନ୍ୟା ଯୋଗୁଁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ହୋଇଛନ୍ତି। ସେମାନେ ଏବେ ସ୍କୁଲ୍ ସହିତ ଅନ୍ୟମାନଙ୍କ ଘରେ ଅତିଥି ଭାବେ ରହିଛନ୍ତି। ଅନ୍ୟ ପକ୍ଷରେ ପାଗରେ ମିଜାଜ ବଦଳିବାର ନାଁ ଧରୁ ନାହିଁ। ଏବେ ବି ଏଠାରେ ବର୍ଷା ହେଉଛି। ତେଣୁ ଆଗକୁ ସ୍ଥିତି ଆହୁରି ସଂଗୀନ ହେବ ବୋଲି ଆଶଙ୍କା କରାଯାଉଛି। ଜୁଲାଇ ମାସରୁ ବର୍ଷା ଯୋଗୁ ନିୟମିତ ବ୍ୟବଧାନରେ ବନ୍ୟା ହେଉଛି। ବିଶେଷ କରି କେନ୍ଦ୍ର ଓ ଦକ୍ଷିଣ ନାଇଜରରେ ବନ୍ୟା ସ୍ଥିତି ଲାଗି ରହିଛି।

୨୦୧୪ରେ ନାଇଜରରେ ହୋଇଥିବା ବନ୍ୟାରେ ୧୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ପ୍ରଭାବିତ ହୋଇଥିଲେ।