ନୱାଜୁଦ୍ଦିନ ନିଜ ବହି ବିକିବା ପାଇଁ ଜଣେ ମହିଳାଙ୍କୁ ବଦନାମ କରୁଛନ୍ତି: ନିହାରିକା

ମୁମ୍ବାଇ: ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ତାଙ୍କ ଜୀବନୀ ‘ଆନ୍ ଅଡିନାରୀ ଲାଇଫ୍‌’ରେ ନିଜର ଲଭ୍ ଓ ସେକ୍ସ ଲାଇଫ୍ ସଂପର୍କରେ ଖୋଲାଖୋଲି ଭାବେ ପ୍ରକାଶ କରିଛନ୍ତି। କେତେ ଜଣ ଯୁବତୀଙ୍କ ସହିତ ସେ ରିଲେସନ୍‌ସିପ୍‌ରେ ଥିଲେ ଓ ସେମାନଙ୍କ ରିଲେସନ୍ କେତେ ବାଟ ପର୍ଯ୍ୟନ୍ତ ଯାଇଥିଲା ତାହା ବି ସେ ଉଲ୍ଲେଖ କରିଛନ୍ତି। କେବଳ ସେକ୍ସ ପାଇଁ ସେ ବିଭିନ୍ନ ଯୁବତୀଙ୍କ ସହିତ ରିଲେସନ୍‌ସିପ୍‌ରେ ଥିଲେ ବୋଲି ଏହି ବହିରେ ଲେଖାଯାଇଛି। ଏଥିରେ ସେ ଅଭିନେତ୍ରୀ ନିହାରିକା ସିଂହଙ୍କ ବିଷୟରେ ମଧ୍ୟ ଲେଖିଛନ୍ତି। ତେବେ ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶିତ ହେବା ପରେ ଖପ୍ପା ହୋଇଯାଇଛନ୍ତି ନିହାରିକା। ସେ ନୱାଜୁଦ୍ଦିନଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ସେ କହିଛନ୍ତି ଯେ ନୱାଜୁଦ୍ଦିନ ସିଦ୍ଦିକି ନିଜ ବହିକୁ ବିକିବା ପାଇଁ ଜଣେ ମହିଳାଙ୍କୁ ବଦନାମ କରୁଛନ୍ତି।

ନିହାରିକା ଏକ ୱେବ୍‌ସାଇଟ୍‌କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି,“ ମୁଁ ୨୦୦୯ରେ ମିସ୍ ଲଭଲୀ ଫିଲ୍ମର ସୁଟିଂ ସମୟରେ ରିଲେସନ୍‌ସିପ୍‌ରେ ଥିଲି। ଆମ ରିଲେସନ୍‌ସିପ୍ ମାତ୍ର କିଛି ମାସର ଥିଲା। ତାଙ୍କ କଥା ଶୁଣି ମୋତେ ହସ ଲାଗୁଛି। ସେ କେବଳ ନିଜ ବହି ବିକ୍ରି କରିବା ପାଇଁ ଏମିତି କହୁଛନ୍ତି।”

ଏ ପ୍ରସଙ୍ଗରେ ସେ ଆଉ ଅଧିକ କିଛି କହିବାକୁ ମନା କରି ଦେଇଛନ୍ତି।

niharikaନିହାରିକାଙ୍କ ସଂପର୍କରେ କ’ଣ ଲେଖା ହୋଇଛି ନୱାଜୁଦ୍ଦିନଙ୍କ ବାୟୋଗ୍ରାଫିରେ?

ନୱାଜୁଦ୍ଦିନ ଏହି ବହିରେ ତାଙ୍କର ପ୍ରଥମ ପ୍ରେମଠାରୁ ଆରମ୍ଭ କରି ବାହାଘର ପର୍ଯ୍ୟନ୍ତ ସବୁ କଥା ସେୟାର କରିଛନ୍ତି। ସେ ତାଙ୍କ ଜୀବନୀରେ ଗୋଟିଏ ସ୍ଥାନରେ ଲେଖିଛନ୍ତି,“ ମିସ୍‌ ଲଭଲୀର ସୁଟିଂ ଚାଲିଥିଲା। ଆମେ ଡ୍ୟାନ୍ସ ସିନ୍‌ର ସୁଟିଂ କରୁଥିଲୁ। ଏହା ପରେ ମୋ କୋ-ଷ୍ଟାର ନିହାରିକାଙ୍କ ସହିତ କିଛି ଗୋଟାଏ ଘଟିଲା। ସେ ମୋଠାରୁ ଦୂରେଇ ଦୂରେଇ ରହିଲେ। ମୁଁ ବ୍ୟସ୍ତ ହୋଇପଡ଼ିଲି। ତାଙ୍କ ସହିତ ମୋର ଦୋସ୍ତି ହୋଇଯାଇଥିଲା ଓ ଆମେ ବହୁ ସମୟ କଥାବାର୍ତ୍ତା ହେଉଥିଲୁ। ମୁଁ ବିଚାର କଲି ଏ ବିଷୟରେ ତାଙ୍କୁ ପଚାରିବି। ମୁଁ ତାଙ୍କୁ ଅନେକ ସମୟରେ ପଚାରିଲି। ଦିନେ ମୁଁ ତାଙ୍କୁ ମୋ ଘରକୁ ମଟନ୍ ଖାଇବାକୁ ନିମନ୍ତ୍ରଣ କଲି। ଏହା ମୋର ସ୍ପେଶିଆଲିଟି ଥିଲା। ସେ ରାଜି ହୋଇଗଲେ। ସେ କେବଳ ପ୍ଲେଟ୍‌ରେ ଦିଆଯାଇଥିବା ସବୁ ଖାଦ୍ୟ ଖାଇନଥିଲେ, ପ୍ରଶଂସା ମଧ୍ୟ କରିଥିଲେ। ସେ ମୋତେ ତାଙ୍କ ଘରକୁ ମଟନ୍ ଖାଇବାକୁ ନିମନ୍ତ୍ରଣ କରିଥିଲେ।”

ସେ ଆହୁରି ଲେଖିଛନ୍ତି,“ମୁଁ ପ୍ରଥମ ଥର ପାଇଁ ନିହାରିକାଙ୍କ ଘରକୁ ଯାଇଥିଲି। କବାଟ ଖୋଲିବା ମାତ୍ରେ ଘର ଭିତରର ଦୃଶ୍ୟ ମୁଁ ଦେଖିପାରିଲି। ମୁଁ ଦେଖିଲି ହଜାରେ ମହମବତି ଜଳୁଛି। ମୁଁ ତ ଗାଉଁଲି କାମୁକ ମଣିଷ। ମୁଁ ତାଙ୍କୁ ବୋହି ନେଇ ସିଧା ବେଡ୍‌ରୁମ୍‌କୁ ଚାଲିଗଲି। ଆମେ ଖୁବ୍ ପ୍ରେମ କଲୁ। ଏମିତି ଭାବେ ନିହାରିକାଙ୍କ ସହ ମୋର ରିଲେସନ୍‌ସିପ୍ ଆରମ୍ଭ ହୋଇଥିଲା। ଏହା ଦେଢ଼ ବର୍ଷ ପର୍ଯ୍ୟନ୍ତ ଚାଲିଲା ଯାହାକି ମୋ କଳ୍ପନା ବାହାରେ ଥିଲା।”

ମୁମ୍ବାଇ ଆସିବା ପରେ ସୁନୀତା ନାମ୍ନୀ ଜଣେ ଅଭିନେତ୍ରୀଙ୍କ ସହ ନୱାଜୁଦ୍ଦିନଙ୍କର ପ୍ରେମ ହୋଇଥିଲା। ତା’ପରେ ନ୍ୟୁଜର୍ସିର ସୁଜୈନ ନାମକ ଯୁବତୀଙ୍କ ପ୍ରେମରେ ସେ ପଡ଼ିଯାଇଥିଲେ। ସୁଜୈନଙ୍କ ସହ ରିଲେସନ୍‌ସିପ୍‌ରେ ଥିବା ବେଳେ ସେ ନିହାରିକାଙ୍କ ପ୍ରେମରେ ପଡ଼ିଥିଲେ। ନିହାରିକାଙ୍କ ପାଇଁ ସେ ସୁଜୈନଙ୍କ ସହ ସମସ୍ତ ସଂପର୍କ ଶେଷ କରିଥିଲେ। ନିହାରିକାଙ୍କୁ ଛାଡ଼ିବାର ଦୁଇ ମାସ ପରେ ତାଙ୍କ ଜୀବନକୁ ଆଉ ଜଣେ ଯୁବତୀ ଆସିଥିଲେ। ଆଉ କିଛି ବର୍ଷ ପରେ ସେହି ଝିଅ ସହିତ ତାଙ୍କର ବିବାହ ହୋଇଥିଲା।