ନିର୍ଭୟା ଗଣବଳାତ୍କାର ମାମଲା: ନାବାଳକ ଦୋଷୀର ମୁକ୍ତି ଉପରେ ରୋକ ପାଇଁ ରାତି ଅଧରେ ସୁପ୍ରିମକୋର୍ଟରେ ଅପିଲ୍, ସୋମବାର ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ଭୟା ଗଣବଳାତ୍କାର ମାମଲାର ନାବାଳକ ଦୋଷୀ ଆଜି ସୁଧାରଗୃହରୁ ମୁକ୍ତି ପାଇବ। ଦିଲ୍ଲୀ ହାଇକୋର୍ଟ ତା’ର ମୁକ୍ତି ଉପରେ ରହିତାଦେଶ ଜାରି କରିବାକୁ ମନା କରି ଦେବା ପରେ ସେ ସୁଧାରଗୃହରୁ ବାହାରିବା ନିଶ୍ଚିତ ହୋଇଯାଇଛି। ତେବେ ତାକୁ ମୁକ୍ତି ନ ଦେବା ପାଇଁ ଶନିବାର ରାତିପ୍ରାୟ ଗୋଟାଏ ବେଳେ ଦିଲ୍ଲୀ ମହିଳା କମିଶନ୍ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ୍ ସୁପ୍ରିମକୋର୍ଟରେ ଏକ ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଦାଖଲ କରିଛନ୍ତି। ରବିବାର ନାବାଳକ ଅପରାଧୀ ମୁକ୍ତି ପାଇବାକୁ ଥିବାରୁ ଶନିବାର ରାତିରେ ହିଁ ମାମଲାର ଶୁଣାଣି ଲାଗି ପ୍ରାର୍ଥନା କରି କୋର୍ଟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଏହି ପିଟିସନ୍ ଦାଖଲ ହୋଇଥିଲା। ରେଜିଷ୍ଟ୍ରାର ମହିଳା କମିଶନଙ୍କ ପକ୍ଷରୁ ଦିଆଯାଇଥିବା ଏହି ଆବେଦନକୁ ଗ୍ରହଣ କରି ଏ ସଂପର୍କିତ ନିଷ୍ପତ୍ତି ନେବା ଲାଗି ବିଚାରପତି ଜଷ୍ଟିସ୍ ଏ.କେ.ଗୋଏଲଙ୍କ ନିକଟକୁ ପଠାଇଥିଲେ। ସୋମବାର ଏହି ମାମଲାର ଶୁଣାଣି କରାଯିବାକୁ ଧାର୍ଯ୍ୟ ହୋଇଛି। ତେବେ ନାବାଳକ ଅପରାଧୀର ଆଜି ହେବାକୁ ଥିବା ମୁକ୍ତି ଉପରେ ରହିତାଦେଶ ଦେବାକୁ କୋର୍ଟ ମନା କରି ଦେଇଛନ୍ତି।

ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ ଅନୁଯାୟୀ ଜଣେ ନାବାଳକ ଅପରାଧୀ ଅତିବେଶୀରେ ୩ବର୍ଷ ସୁଧାର ଗୃହରେ ରହିପାରିବ। ଏହି ଅନୁଯାୟୀ ସୁଧାର ଗୃହରେ ତିନି ବର୍ଷ ବିତାଇବା ପରେ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀ ନାବାଳକକୁ ଆଜି ମୁକ୍ତ କରାଯିବ। ତେବେ ଏହାକୁ ବିରୋଧ କରି ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ନାବାଳକକୁ ରିମାଣ୍ଡ ହୋମରୁ କୌଣସି ଏକ ଅଜ୍ଞାତ ସ୍ଥାନକୁ ନିଆଯାଇଛି। ଆସନ୍ତାକାଲି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ଥିବାରୁ ଆଜି ତାକୁ ମୁକ୍ତ କରାଯିବ କି ନାହିଁ ତା ଉପରେ ମଧ୍ୟ ସସପେନ୍ସ ଲାଗି ରହିଛି।