ନିର୍ଭୟା ଗଣଧର୍ଷଣ ମାମଲା: ନାବାଳକ ଅପରାଧୀର ମୁକ୍ତି ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଗଣବଳାତ୍କାର ମାମଲାର ଦୋଷୀ ନାବାଳକକୁ ମୁକ୍ତ କରାଯିବା ବିରୋଧରେ ଦିଲ୍ଲୀ ମହିଳା କମିଶନ କରିଥିବା ଆବେଦନକୁ ସୋମବାର ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ନାବାଳକ ଅପରାଧୀକୁ ୩ ବର୍ଷରୁ ଅଧିକ ସୁଧାର ଗୃହରେ ରଖାଯିବାର ନିୟମ ନାହିଁ।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନିଷ୍ପତ୍ତି ପରେ ନିର୍ଭୟାଙ୍କ ମା’ ଆଶା ଦେବୀ ଲୋତକ ଭରା ଆଖିରେ କହିଥିଲେ ଯେ ଏହା ହେବ ବୋଲି ସେ ଜାଣିଥିଲେ। ଭାରତରେ କେବେବି ଆଇନ୍ ବଦଳିବ ନାହିଁ ଓ ମହିଳାଙ୍କୁ ନ୍ୟାୟ ମିଳିବ ନାହିଁ। ନାବାଳକ ଅପରାଧୀ ନେଇ ରହିଥିବା ଆଇନ ବଦଳାଇବାକୁ ସେ ଲଢ଼େଇ ଜାରି ରଖିବେ। ନିର୍ଭୟା ମାମଲାରୁ ସରକାର କିଛି ଶିକ୍ଷା ଲାଭ ନ କରିବା ଦୁର୍ଭାଗ୍ୟଜନକ।

ସେହିପରି ନିର୍ଭୟାଙ୍କ ବାପା କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଭବିଷ୍ୟତରେ କ’ଣ ହେବ ତାହା କହିବା ମୁସ୍କିଲ୍। ଆଇନ ହାତରେ ବନ୍ଧା ବୋଲି କହି ସୁପ୍ରିମକୋର୍ଟ ସହଜରେ ତାଙ୍କ ଦାୟିତ୍ୱରୁ ଖସି ଗଲେ। ମୁକ୍ତି ଉପରେ ରୋକ ଲଗାଇଲେ ଉକ୍ତ ଅପରାଧୀର ଅଧିକାର କ୍ଷୁର୍ଣ୍ଣ ହେବ ବୋଲି ସୁପ୍ରିମକୋର୍ଟ କହିଲେ। କିନ୍ତୁ ଯେଉଁ ଛୋଟ ଛୋଟ ନାବାଳିକାମାନେ ବଳାତ୍କାରର ଶିକାର ହେଉଛନ୍ତି ସେମାନଙ୍କର କ’ଣ ଅଧିକାର କ୍ଷୁର୍ଣ୍ଣ ହେଉ ନାହିଁ କି ବୋଲି ସେ ପ୍ରଶ୍ନ କରିଛନ୍ତି।

ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷ ସ୍ୱାତୀ ମାଲୀୱାଲ୍ କହିଛନ୍ତି,  ‘କୋର୍ଟରେ ପୂରା ଅଧା ଘଣ୍ଟା ଧରି ଶୁଣାଣି ହୋଇଥିଲା। କୋର୍ଟ କହିଥିଲେ ଯେ ଆମେ ଆପଣଙ୍କ ଚିନ୍ତାକୁ ବୁଝି ପାରୁଛୁ। କିନ୍ତୁ ଏନେଇ ଆଇନ୍ ଏତେ ଦୁର୍ବଳ ଯେ ଆମେ କିଛି ସାହାଯ୍ୟ କରିପାରିବୁ ନାହିଁ।’

ସ୍ୱାତୀ ମାଲୀୱାଲ୍ କହିଛନ୍ତି, ଏହା ଦେଶ ପାଇଁ କଳା ଦିବସ। ରାଜ୍ୟସଭା ପୂରା ଦେଶକୁ ଧୋକା ଦେଇଛି। କାରଣ ରାଜ୍ୟସଭା ଯୋଗୁଁ ଏ ସଂପର୍କିତ ଆଇନ୍ ପାରିତ ନହୋଇ ପଡ଼ି ରହିଛି। ମହିଳାଙ୍କ ସୁରକ୍ଷା ପାଇଁ ମହମବତୀ ଜଳାଇବା ବହୁତ ହୋଇଗଲା। ଏବେ ମଶାଲ ଜଳାଇ ରାସ୍ତାକୁ ଓହ୍ଲାଇବାର ସମୟ ଆସି ଯାଇଛି।

ଦିଲ୍ଲୀ ହାଇକୋର୍ଟ ତା’ର ମୁକ୍ତି ଉପରେ ରହିତାଦେଶ ଜାରି କରିବାକୁ ମନା କରି ଦେବା ପରେ ନିର୍ଭୟା ଗଣବଳାତ୍କାର ମାମଲାର ଏକମାତ୍ର ନାବାଳକ ଅପରାଧୀ ସୁଧାରଗୃହରୁ ବାହାରିବା ନିଶ୍ଚିତ ହୋଇଯାଇଥିଲା। ତେବେ ତାକୁ ମୁକ୍ତି ନ ଦେବା ପାଇଁ ଶନିବାର ରାତିପ୍ରାୟ ଗୋଟାଏ ବେଳେ ଦିଲ୍ଲୀ ମହିଳା କମିଶନ୍ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ୍ ସୁପ୍ରିମକୋର୍ଟରେ ଏକ ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଦାଖଲ କରିଥିଲେ। ରବିବାର ନାବାଳକ ଅପରାଧୀ ମୁକ୍ତି ପାଇବାକୁ ଥିବାରୁ ଶନିବାର ରାତିରେ ହିଁ ମାମଲାର ଶୁଣାଣି ଲାଗି ପ୍ରାର୍ଥନା କରି କୋର୍ଟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଏହି ପିଟିସନ୍ ଦାଖଲ ହୋଇଥିଲା। ରେଜିଷ୍ଟ୍ରାର ମହିଳା କମିଶନଙ୍କ ପକ୍ଷରୁ ଦିଆଯାଇଥିବା ଏହି ଆବେଦନକୁ ଗ୍ରହଣ କରି ଏ ସଂପର୍କିତ ନିଷ୍ପତ୍ତି ନେବା ଲାଗି ବିଚାରପତି ଜଷ୍ଟିସ୍ ଏ.କେ.ଗୋଏଲଙ୍କ ନିକଟକୁ ପଠାଇଥିଲେ। ତେବେ ନାବାଳକ ଅପରାଧୀର ଆଜି ହେବାକୁ ଥିବା ମୁକ୍ତି ଉପରେ ରହିତାଦେଶ ଦେବାକୁ କୋର୍ଟ ମନା କରି ଦେଇଥିଲେ। ସୋମବାର ଏହି ମାମଲାର ଶୁଣାଣି କରାଯିବାକୁ କୋର୍ଟ ଦିନ ଧାର୍ଯ୍ୟ କରିଥିଲେ।