ଆମେ ନ୍ୟାୟ ଚାହୁଁ: ନିର୍ଭୟାର ବାପାମା’

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଧର୍ଷଣ ମାମଲାର ଏକମାତ୍ର ନାବାଳକ ଅପରାଧୀ ଆଜି ସୁଧାରଗୃହରୁ ମୁକ୍ତ ହେବାକୁ ଥିବା ବେଳେ ପୀଡ଼ିତାଙ୍କ ବାପାମା’ ଏହାକୁ ନେଇ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି। ସେମାନେ ତାଙ୍କର ମୃତ ଝିଅକୁ ନ୍ୟାୟ ପ୍ରଦାନ କରିବା ଓ ନାବାଳକ ଦୋଷୀର ମୁକ୍ତି ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି।

ନିର୍ଭୟାଙ୍କ ମା’ କହିଛନ୍ତି, ‘ମୁଁ ନ୍ୟାୟ ଚାହେଁ। ଉକ୍ତ ନାବାଳକ ଅପରାଧୀର ମୁକ୍ତି ଉପରେ ରୋକ ଲଗାଯାଉ ବୋଲି ମୁଁ ଚାହେଁ। ଶୁଣାଣି କେବଳ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ। ସେମାନେ (ଦିଲ୍ଲୀ ମହିଳା କମିଶନ) ଗତକାଲି ରାତିରେ ଉଦ୍ୟମ କଲେ। ସେମାନେ ଚାହିଁଥିଲେ ଦିନ ବେଳୁ ଉଦ୍ୟମ କରି ପାରିଥା’ନ୍ତେ।’

ନିର୍ଭୟାଙ୍କ ବାପା କହିଛନ୍ତି ଯେ ନାବାଳକ ଦୋଷୀ ଆଜି ମୁକ୍ତ ହୋଇଯିବ। ତେଣୁ ଆସନ୍ତାକାଲି ସୁପ୍ରିମକୋର୍ଟରେ ଏନେଇ ଶୁଣାଣି କରିବାର କୌଣସି ଯଥାର୍ଥତା ନାହିଁ। କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ଲୋକେ ଚାହୁଁଛନ୍ତି ଯେ ତାକୁ ମୁକ୍ତ କରା ନ ଯାଉ। କାରଣ ସେ ଯେଉଁ ଅପରାଧ କରିଛି ତାହା ଜଣେ ନାବାଳକର ନୁହେଁ। ତାର ମୁକ୍ତିକୁ ରୋକିବାକୁ ପ୍ରଧାନମନ୍ତ୍ରୀଙ୍କର କ୍ଷମତା ରହିଛି, କିନ୍ତୁ କେହି କିଛି କରୁ ନାହାନ୍ତି।

ଦିଲ୍ଲୀ ମହିଳା କମିଶନ ଗତକାଲି ରାତି ଗୋଟାଏ ବେଳେ ଉକ୍ତ ନାବାଳକ ଅପରାଧୀର ମୁକ୍ତିକୁ ରୋକିବାକୁ ନେଇ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତାକାଲି ଶୁଣାଣି କରିବେ। ତେବେ ଏହି ଅପରାଧୀର ମୁକ୍ତି ଉପରେ ରୋକ ଲଗାଇବାକୁ କୋର୍ଟ ଗତକାଲି ମନା କରି ଦେଇଥିଲେ।